ପରମ୍ପରା ବଜାୟ ରଖିଛନ୍ତି ଧଣ୍ଡରା ଅଞ୍ଚଳବାସୀ, ନୂଆଖାଇ ଅବସରରେ ଅଦ୍ୱିତୀୟ ପର୍ବ ମନାଉଛନ୍ତି “ଡଙ୍ଗରି ଚେଗା’

ନନ୍ଦାହାଣ୍ଡି : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଗଣପର୍ବ ହେଉଛି ନୂଆଖାଇ । ଅନେକ ଦୂର ଦୂରାନ୍ତ କର୍ମକ୍ଷେତ୍ରରୁ ଫେରି ଆସନ୍ତି ନିଜ ଭିଟାମାଟିକୁ ଏହି ପର୍ବ ପାଳନ ପାଇଁ ଲୋକେ । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକବାସୀ ମଧ୍ୟ ବାଦ ପଡି ନାହାଁନ୍ତି ଏହି ପର୍ବ ପାଳନରୁ । ଗତକାଲି ଅର୍ଥାତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଅଞ୍ଚଳର ଅନେକ ଗ୍ରାମର ଲୋକେ ନବାନ୍ନ (ନୂଆଖାଇ) ଭୋଗ ଗ୍ରହଣ କରିଥିଲେ । ଏହି ପର୍ବ ପାଳନ ଅବସରରେ ପରିବାରର ସମସ୍ତେ ନବ ବସ୍ତ୍ର ପରିଧାନ କରି ନବାନ୍ନ ଭୋଗ ଗ୍ରହଣ କଲାପରେ ପରିବାର ତଥା ସାହି ପଡ଼ିଶାର ବୟଜ୍ୟୋଷ୍ଠମାନଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଇତିମଧ୍ୟରେ ଅଞ୍ଚଳବାସୀଙ୍କ ନୂଆଖାଇ ଜୁହାର ଓ ଭେଟଘାଟର ସୁଯୋଗ ସୃଷ୍ଟି କରି ପାରିଛି ଧଣ୍ଡରା ଗ୍ରାମର ପର୍ବତାରୋହଣ ବା “ଡଙ୍ଗରି ଚେଗା’ ପର୍ବ । ଏଠାରେ ଅଞ୍ଚଳର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିମାନେ ଉପସ୍ଥିତ ରହି ପୂର୍ବ ଶତ୍ରୁତାକୁ ଭୁଲି ପରସ୍ପର ମଧ୍ୟରେ ଭ୍ରାତୃତ୍ୱ ଭାବରେ ଭେଟଘାଟ ହୋଇ ପ୍ରଣାମ (ଜୁହାର) ଜଣାଇଥାନ୍ତି । ଲୋକେ ପାହାଡ଼ର ପାଦ ଦେଶରେ ଥିବା ଦେବୀ ମା ଡଙ୍ଗର ଦେଇଙ୍କୁ ମୁଣ୍ଡିଆ ମାରି ପର୍ବତ ଶିଖର ମନ୍ଦିରରେ ଦେବ ଦେବ ମହାଦେବ ଝାଡେଶ୍ୱରଙ୍କୁ ଦର୍ଶନ କରିଥାନ୍ତି । ପର୍ବତଟିକୁ ଦେଖିବାକୁ ଅତି ମନୋରମ କାରଣ ଚତୁଃପାଶ୍ୱର୍‌ରେ ଶାଳ ଗଛ ସମେତ ବନବିଭାଗ ଦ୍ୱାରା ସାଗୁଆନ ବୃକ୍ଷ ରୋପଣ କରି ସବୁଜମୟ କରାଯାଇଛି । ପ୍ରାୟ ଏକ ଶତାବ୍ଦୀରୁ ଅଧିକ ପୁରୁଣା ପରମ୍ପରା ପ୍ରଚଳିତ ହୋଇ ଆସୁଛି । ପୂର୍ବଜମାନେ ନୂଆଖାଇର ବାସିଦିନ ସ୍ଥାନୀୟ କିଛି ଲୋକଙ୍କ ଦ୍ୱାରା ଏହି ପ୍ରଥା ଆରମ୍ଭ କରିଥିଲେ କିନ୍ତୁ ଏବେ ଲୋକାଦୃତ ପର୍ବରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହା ହେଉଛି ନବରଙ୍ଗପୁର ଜିଲ୍ଲାର ଏକମାତ୍ର ପର୍ବ ଯାହା କି ସାମୂହିକ ଭାବେ ପର୍ବତ ଆରୋହଣର ମଜା ଉଠାଇ ପର୍ବ ପାଳନ କରିଥାନ୍ତି । ଏହି ଅବସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ମଣ୍ଡେଇ କଳାକାର ଦେବଦାସ ମହାଙ୍କୁଡ ପ୍ରଭୃତି ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Comments (0)
Add Comment