ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ, ଡ଼ଲାରରେ ଭକ୍ତଙ୍କଠାରୁ ନିଆଯାଉଛି ଦକ୍ଷିଣା

ପୁରୀ : ପୁଣି ମହାପ୍ରଭୁଙ୍କ ନାଁ ରେ ଅନଲାଇନ ଠକେଇ । ରାଜ୍ୟ କିମ୍ବା ଦେଶ ଭିତରେ ନୁହେଁ ବିଦେଶ ଯାଏଁ ଲମ୍ବିଛି ଏହି ଠକେଇର ଚେର । ଡ଼ଲାରରେ ଭକ୍ତଙ୍କଠାରୁ ନିଆଯାଉଛି ଦକ୍ଷିଣା । ଶ୍ରୀଜଗନ୍ନାଥ ମନ୍ଦିରରେ ସିଦ୍ଧ ପୂଜା, ଶାଳଗ୍ରାମ ପୂଜା ଭଳି କେତେକ ପୂଜା କରାଇଦେବା ପାଇଁ ଆଖିରେ ଆଙ୍ଗୁଠି ଗେଞ୍ଜି ଭକ୍ତଙ୍କ ଭାବନା ସହ ଖେଳ ଖେଳା ଯାଉଛି । ଶାଳଗ୍ରାମ ଶିଳା ନାମକ ଏକ ୱେବସାଇଟରେ ମହାପ୍ରଭୁଙ୍କ ନାଁ ରେ ଚାଲିଛି ଏଭଳି ଅନଲାଇନ ଠକେଇ । ଶ୍ରୀମନ୍ଦିରରେ ବ୍ରହ୍ମଣ ଭୋଜନ କରାଇବା ନାଁରେ ଟଙ୍କା ଆଦାୟ ସହ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । ତେବେ ଏଭଳି ଠକେଇ ଘଟଣାର ପର୍ଦ୍ଦଫାସ କରିବା ପରେ ସେବାୟତଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ସିଂହଦ୍ୱାର ଥାନା ମାମଲା ରୁଜୁ କରିଛି । ଅନଲାଇନରେ ବିଭିନ୍ନ ପ୍ରକାର ଶ୍ରୀଜଗନ୍ନାଥଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ପାଇଁ ମଧ୍ୟ ଟଙ୍କା ୬ହଜାର ଟଙ୍କା ବା ୭୯ଡଲାର ଲେଖାଯାଇଛି । ଏହା ପୁଣି ଡିସକାଉଣ୍ଟଟେଡ ପ୍ରାଇସ୍‌ ଲେଖାଯାଇଛି । ଶ୍ରୀଜଗନ୍ନାଥଙ୍କ ମନ୍ତ୍ର, ଜପ ପୂଜା, ଯଜ୍ଞ, ଶ୍ରୀନାଥଜୀ ଶ୍ରୀଙ୍ଗାର ୪୫୦୦ଟଙ୍କା ୫୯ଡଲାର ଦେଇ ପୂଜା କରିପାରିବେ । ଏଭଳି ଏକ ଶାଳିଗ୍ରାମ ଶାଳା ନାମକ ଏକ ସାଇଟ ମାଧ୍ୟମରେ ଦେଶ ବିଦେଶରେ ଥିବା ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନଲାଇନରେ ପୂଜା ବିଧି କରିବା ପାଇଁ ଆଗ୍ରହ ସୃଷ୍ଟି କରାଯାଇ ସେମାନଙ୍କ ଠାରୁ ଅନଲାଇନରେ ଟଙ୍କା ଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହଁ ତିନି ବିଗ୍ରହଙ୍କ ପୂଜା ପାଇଁ ୧୧୫୦୦ଟଙ୍କା, ତିନିଜଣ ପୂଜକଙ୍କ ଦ୍ୱାରା ସିଦ୍ଧ ପୂଜା ଗୋଟିଏ ଦିନ କରିବାକୁ ୧୨୦୦୦ଟଙ୍କା ବା ୧୫୯ଡଲାର ଲାଗିବ ବୋଲି ଉଲ୍ଲେଖ କରାଯାଇଛି । ଏପରିକି ୭ ପୂଜକଙ୍କ ଦ୍ୱାରା ତିନିଦିନ କଲେ ୪୦ହଜାର ବା ୫୨୬ଡଲାର , ୧୧ଜଣ ବ୍ରାହ୍ମଣଙ୍କୁ ଭୋଜନ ୬୦୦୦ଟଙ୍କା, ୨୧ଜଣ ବ୍ରାହ୍ମଣଙ୍କୁ ଭୋଜନ ପାଇଁ ୧୧୫୦୦ଟଙ୍କା ଦେବାକୁ ପଡିବ । ସେପଟେ ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତ ସିଧାସଳଖ କହିଛନ୍ତି ଏଭଳି କିଛି ପୂଜାବିଧି ଶ୍ରୀମନ୍ଦିରରେ ନାହିଁ । କୌଣସି ଭକ୍ତ ସିଧା ଆସି ଶ୍ରୀଜଗନ୍ନାଥଙ୍କୁ ପୂଜା କରିପାରିବ ୱବସାଇଡ ମାଧ୍ୟମରେ କୌଣସି ଟଙ୍କା ଗ୍ରହଣ କରାଯାଇନଥାଏ । ସେପଟେ ଉତ୍ସବ ଆପରେ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନେଇ ଟଙ୍କା ଆଦାୟ ଘଟଣାର ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ଆସନ୍ତା ୭ ତାରିଖରେ ଉତ୍ସବ ଆପର କର୍ତ୍ତୃପକ୍ଷ ସିଂହଦ୍ୱାର ଥାନାରେ ହାଜର ହେବା ନୋଟିସ ରହିଛି । ତେବେ ମହାପ୍ରଭୁଙ୍କ ନାମରେ ଅନଲାଇନରେ ବ୍ୟାପକ ଠକେଇ ଚାଲିଥିବା ବେଳେ ଶ୍ରୀ ମନ୍ଦିର ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜଗନ୍ନାଥ ପ୍ରେମୀ ଦାବୀ କରିଛନ୍ତି । ଅନଲାଇନ୍‌ରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ନେଇ କୌଣସି ବ୍ୟବସ୍ଥା ନ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର କରାଯିବାକୁ ଜଗନ୍ନାଥପ୍ରେମୀ ଦାବୀ କରିଛନ୍ତି ।

Comments (0)
Add Comment