ଅନ୍ଧବିଶ୍ୱାସ ; ସୁନା କଳସ ପାଇବା ଆଶାରେ ଦିଆଗଲା ବୋଦା ଓ କୁକୁଡା ବଳୀ

ଦଶପଲ୍ଲା : ବାହାରିବ ମେଂଚାମେଂଚା କଞ୍ଚା ସୁନା ଓ ସୁନା କଳସ । ଏଥିପାଇଁ ଚାଲିଥିଲା ପୂଜାର୍ଚ୍ଚନା ଓ ତନ୍ତ୍ର ମନ୍ତ୍ର ଗୁଣି ଗାରେଡି । କାଳେସୀଙ୍କ ନିର୍ଦ୍ଦେଶ କ୍ରମେ ଦିଆଗଲା ବୋଦା ଓ କୁକୁଡ଼ା ବଳୀ । ଏହାପରେ ଆରମ୍ଭ ହେଲା ସୁନା ଓ ସୁନା କଳସ ପାଇଁ ଖୋଳତାଡ । ହେଲେ ଏଭଳି ଅନ୍ଧ ବିଶ୍ୱାସ ପୂର୍ଣ୍ଣ କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ ।
ବର୍ତ୍ତମାନ ୫-ଜି ଯୁଗରେ ଏଭଳି ଏକ ଅଭାବନୀୟ ଓ ଅନ୍ଧ ବିଶ୍ୱାସ ପୂର୍ଣ୍ଣ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମିଟିଗାଡୁ ଗାଁରେ । ପ୍ରାପ୍ତ ସୂଚନା ଅନୁସାରେ ମିଟିଗାଡୁ ଗ୍ରାମର ରତ୍ନାକର ଜାନୀ ସୁନା କଳସ ଓ ସୁନା ଲୋଭରେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ କିଛି ଶଠ ପ୍ରକୃତିର ଗୁଣିଆଙ୍କ ପ୍ରରୋଚନାରେ ପଡି ସୁନା ଓ ସୁନା କଳସ ଲୋଭରେ ଗାଁ ପାଖ ଜଂଗଲରେ ଥିବା ବରଗଛ ମୂଳରେ ପୂଜାର୍ଚ୍ଚନା ଓ ବଳୀଭୋଗ ପରେ ଖୋଳାଖୋଳି ଆରମ୍ଭ କରିଥିଲେ କିନ୍ତୁ ସେହି ଗ୍ରାମର କିଛି ଚିନ୍ତାଶୀଳ ବ୍ୟକ୍ତି ଏଭଳି ଅନ୍ଧ ବିଶ୍ୱାସପୂର୍ଣ୍ଣ କାର୍ଯ୍ୟକୁ ବିରୋଧ କରିଥିଲେ କିନ୍ତୁ ରତ୍ନାକର ଗ୍ରାମବାସୀଙ୍କ କଥାକୁ ଅବମାନନା କରିବା ଫଳରେ ଗ୍ରାମବାସୀମାନେ ବାଣିଗୋଛା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବାଣିଗୋଛା ଭାରପ୍ରାପ୍ତ ଥାନାଧିକାରୀ ଗୁରୁତର ସହ ନେଇ ନିରପେକ୍ଷ ତଦନ୍ତ ଜାରି ରଖିଛନ୍ତି ।

Comments (0)
Add Comment