ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କଲୋନୀବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି ବଦଳିଲା

ନବରଙ୍ଗପୁର:ନବରଙ୍ଗପୁର ସହରର ଷୋହଳ ନମ୍ବର ୱାର୍ଡରେ ଗାନ୍ଧୀନଗର ଛକଠାରୁ ଇନ୍ଦିରା କଲୋନୀ ଦେଇ ଇଛବତୀଗୁଡା ଯିବା ରାସ୍ତା ଉପରେ ପ୍ରାୟ ଦୁଇ ବର୍ଷ ହେଲା ନର୍ଦ୍ଦମା ପାଣି ରାସ୍ତା ଉପରେ ବୋହି ଚାଲିଥିଲା । ଏହାରି ପ୍ରତିବାଦରେ ସମ୍ପୃକ୍ତ ଅଞ୍ଚଳ ବାସିନ୍ଦା ମାନେ ଚଳିତ ପୌର ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ଖବର ହୀରାଞ୍ଚଳ ଖବରକାଗଜରେ ପ୍ରକାଶ ପାଇବାପରେ ଉପ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ପୌର ଅଧିକାରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚି କୋଲୋନୀ ବାସିନ୍ଦାଙ୍କ ଅସୁବିଧା ସମ୍ପର୍କରେ ନିରୀକ୍ଷଣ କରିଥିଲେ । ଏହାସହ ଏହାର ସମାଧାନ ପୌର ନିର୍ବାଚନ ଶେଷ ହେବା ପରେ ସଙ୍ଗେ ସଙ୍ଗେ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଯିବା ପାଇଁ ଅନୁରୋଧ କରିଥିଲେ । ଉପ ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର କରାଗଲା ବୋଲି କୋଲୋନୀ ସଭାପତି ଦଣ୍ଡପାଣି ପାଢୀ ପ୍ରକାଶ କରିଛନ୍ତି । ସେଠାରେ ସମ୍ପାଦକ ଶିବ ଶଙ୍କର ତ୍ରିପାଠୀ, ଗଣି ବେହେରା, କେ ଜଘୁନାଥ ରାଓ ପ୍ରମୁଖ ସାହି ବାସିନ୍ଦା ମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment