ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମକୁନ୍ଦପୁର ସେବାଶ୍ରମ ଛାତ୍ରୀ ନିବାସ ନିର୍ମାଣ କାମ ନିମ୍ନମାନର କରାଯିବା ସହ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା କାର୍ଯ୍ୟାଳୟ (ଏସସି-ଏସଟି ଉନ୍ନୟନ ବିଭାଗ ) ଚିଠି ସଂଖ୍ୟା ୧୧୧୧/୦୫/୦୭ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ । ଏହି ସ୍କୁଲକୁ ଗସ୍ତ ପରେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ତଦନ୍ତ ନିର୍ଦ୍ଦେଶ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଚିଠି ପରେ ଗତକାଲି ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକ ଟିମ ଛାତ୍ରୀ ନିବାସରେ ପହଂଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏହି କାମରେ ନିୟୋଜିତ ଭୁବନେଶ୍ୱର ଆଇଆରସି ଭିଲେଜ ପ୍ଲଟ ନଂ. ୧/୨୦୭ ରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ କନଷ୍ଟ୍ରକ୍ସନ ଲିମିଟେଡ଼ (ଏଚଏସସିଏଲ)ନାମକ ଠିକା ସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭- ୧୮ ରେ ସ୍ୱତନ୍ତ୍ର ଆର୍ ଲ୍ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲ ର ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା । ସରକାରଙ୍କ ଏମ୍ଓୟୁ ଅନୁଯାୟୀ ଏହାର ବ୍ୟୟ ଅଟକଳ ୮୦ ଲକ୍ଷ ରହିଥିଲା । ନିର୍ମାଣ ଶେଷ ପରେ ଗତ ୦୬/୧୧/୨୦୨୦ ରେ ସଂସ୍ଥା ର ସାଇଟ ଇଞ୍ଜିନିୟର ସୌରଭ ଦେ ଉକ୍ତ ଛାତ୍ରୀ ନିବାସକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର କରିଥିଲେ । ଏଥିରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ତେଣୁ ନିର୍ମାଣକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଶ୍ରୀ ରାୟ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ଚିଠି ଲେଖିଥିଲେ । ସମ୍ପୃକ୍ତ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆତ୍ମସାତ ହୋଇଥିବା ଅର୍ଥ ଅସୁଲ କରିବା ପାଇଁ ସେ ଅନୁରୋଧ କରିଥିଲେ । ଏହାପରେ ଭିଜିଲାନ୍ସ ଟିମ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି ଗତ ୪ତାରିଖ ଦିନ ଦିନ ୫-ଟି ସଚିବ ଭି କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲାକୁ ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ମକୁନ୍ଦପୁର ଆଶ୍ରମ ସ୍କୁଲ ପରିଦର୍ଶନ କରି ଅନୁସୂଚିତ ଜାତି ବର୍ଗର ବାଳିକାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ସେ ସେଠାରେ ନିର୍ମିତ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲର ସ୍ଥିତି ଅନୁଧ୍ୟାନ କରିଥିଲେ । ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ସେଠାରେ ଲାଗିଥିବା ଝରକା, କବାଟ ଗୁଡିକ ଅତ୍ୟନ୍ତ ନିମ୍ନମାନର ବୋଲି ହୃଦୟଙ୍ଗମ କରି ଛାତ୍ରୀନିବାସ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଭିଜିଲାନ୍ସ ବିଭାଗର ବୈଷୟିକ ଟିମ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି ।