ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ରାଜ୍ୟ ବାହାର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ଦାରିଙ୍ଗବାଡି ପୋଲିସ । ୪୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଟି କାର ଓ ଚୋରା ଚାଲାଣରେ ସଂପୃକ୍ତ ଥିବା ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ୪ ଜଣ ହେଲେ ଫତେଗଡ ଥାନା ଅଂଚଳର ସଜନ ସାହୁ, ଖୋର୍ଦ୍ଧା ଜିଲ୍ଲା ମାଣିକଗଡ ଗ୍ରାମର ମନଭଞ୍ଜନ ଭଟ୍ଟ, ଭଞ୍ଜନଗର ଅଞ୍ଚଳର କୃଷ୍ଣଚନ୍ଦ୍ର ନାୟକ ଓ ପୁରୁଷତ୍ତମପୁର ଅଞ୍ଚଳର କାହ୍ନୁ ମହାରଣା । ପୋଲିସର ସୂଚନା ପ୍ରକାରେ ସୋମବାର ଦିନ ସନ୍ଧ୍ୟା ସମୟରେ ୨ଟି କାରରେ ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ୱର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଦାରିଙ୍ଗବାଡି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଦାରିଙ୍ଗବାଡି ସ୍ଥିତ ଆମ୍ବ ଖାଲିଆ ଘାଟିରେ ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ ଏସଆଇ ଲକ୍ଷ୍ମୀ ମାଝୀ, ଏଏସଆଇ ସୁବାସ ଚନ୍ଦ୍ର ବାଏକ, ପି. ଶ୍ରୀନିବାସ ରାଓ ସମେତ ପୋଲିସ ଫୋର୍ସ ଚଢ଼ାଉ କରିଥିଲେ । ଚଢ଼ାଉରେ ଗଞ୍ଜେଇ ସହ କାର ଜବତ ହୋଇଥିବା ବେଳେ ୪ ଜଣ ମାଫିଆ ଗିରଫ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।