ବ୍ରାହ୍ମଣସାହୀରେ କମିଛି ପିମ୍ପୁଡି ଆତଙ୍କ, ତଥାପି ଚିନ୍ତାରେ ଲୋକେ

ପୁରୀ : ପୁରୀ ଜିଲ୍ଲା ପିପିଲିର ଚନ୍ଦ୍ରାଦେଇପୁର ବ୍ରାହ୍ମଣ ସାହୀରେ ପିମ୍ପୁଡ଼ି ଆତଙ୍କ କିଛି ମାତ୍ରାରେ କମିଥିବା ଜଣାପଡିଛି । ପିପିଲି ବିଡିଓଙ୍କ ନିର୍ଦ୍ଦେଶ କ୍ରମରେ ପ୍ରଶାସନ ପକ୍ଷରୁ ଦମନ କରିବାକୁ ରାସାୟନିକ ତରଳ ପଦାର୍ଥ ସିଞ୍ଚନ ପରେ ଅନେକ ପରିମାଣର ପିମ୍ପୁଡ଼ି କମିଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ସାମାନ୍ୟ ଆସ୍ୱସ୍ଥି ଅନୁଭବ କରିଛନ୍ତି । ତେବେ ଏବେବି ଅଳ୍ପ କିଛି ପିମ୍ପୁଡ଼ି ଘରକୁ ଆସୁଥିବାରୁ ଚିନ୍ତିତ ଅଛନ୍ତି ଲୋକ ମାନେ । ଏଣୁ ସଂପୂର୍ଣ୍ଣ ପିମ୍ପୁଡି ଦମନ ପାଇଁ ଆଉ କିଛିଦିନ ଏହି ରାସାୟନିକ ଔଷଧ ସିଞ୍ଚନ ପାଇଁ ଦାବି ହେଉଛି । ଗତ ମାସ ହେବ ନାଲ ପିମ୍ପୁଡ଼ି ଆତଙ୍କ ଚଦ୍ରଦେଇପୁରରେ ଆରମ୍ଭ ହୋଇଥିବା ବେଳେ ବନ୍ୟା ଏହି ନାଲି ବଡ ପିମ୍ପୁଡ଼ିଙ୍କ ଆତଙ୍କ ବେଶୀ ବଢ଼ି ଯାଇଥିଲା । ଘର ଦ୍ୱାର, ରୋଷେଇ ଘର, ଶୋଇବା ଘରେ ପଲ ପଲ ପିମ୍ପୁଡ଼ି ଆସି ଥିଲେ । ଫଳରେ ପିମ୍ପୁଡ଼ି ଶରୀରରେ ଚଢ଼ି ଯିବାରୁ କୁଣ୍ଡେଇ ହୋଇ ଦେହରେ ଘା’ ହୋଇ ଯାଇ ଥିଲା ଲୋକଙ୍କ ଦେହରେ । ଏଭଳି ପରିସ୍ଥିତି ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଚେତା ପଶିଥିଲା ପିପିଲି ପ୍ରଶାସନର । ଓୟୁଏଟିରୁ ଏକ ବିଶେଷଜ୍ଞ ଟିମ୍‌ ଆଣି ଏହି ପିମ୍ପୁଡି ବୃଦ୍ଧିର କାରଣ ଅନୁଧ୍ୟାନ କରିଥିଲେ । ତେବେ ଓୟୁଏଟିରୁ ଆସିଥିବା ବୈଜ୍ଞାନିକ କହିଥିଲେ ବନ୍ୟା ଯୋଗୁ ଗାତରେ ପାଣି ପଶିଯିବା ଏବଂ ଘର ଚାରିପଟେ ଅପରିଷ୍କାର ପରିବେଶ ପାଇଁ ଏଭଳି ଅତ୍ୟଧିକ ପିମ୍ପୁଡ଼ି ବଢ଼ି ଯାଇଛନ୍ତି । ତେବେ ଏହି ବିଶେଷଜ୍ଞ ଟିମ୍‌ ପିମ୍ପୁଡ଼ିର ସାମ୍ପୂଲ୍‌ ନେଇ ଯାଇଛନ୍ତି । ଏହା କେଉଁ ପ୍ରଜାତିର ଓ କିଭଳି ଏହାର ବଂଶ ବିସ୍ତାର ରୋକିହେବ ସେ ନେଇ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ।

Comments (0)
Add Comment