ସାପ କାମୁଡାରେ ୩ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଚମ୍ପୁଆ ୨୩ା୭: ଚମ୍ପୁଆ ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ଠାରେ ଗତ ରାତିରେ ସର୍ପ ଦଂସନରେ ଘଟିଥିବା ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ରାତି ଅଧରେ କୋଚିଂ ସେଂଟରରେ ବିଶାକ୍ତ ସାପ ପ୍ରବେଶ କରି ୪ ଜଣକୁ ଦଂଶନ କରିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ଜଣେ ଛାତ୍ରକୁ କଟକ ଇଙ୍ଗ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚମ୍ପୁଆ ଉପଜିଲାପାଳ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାଏକ, ସହକାରୀ ଜିଲା ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସାହୁ ଓ ଭୁଇଁପୁର ରାଜସ୍ୱ ନିରକ୍ଷକ ଅଲେଖ ମାଝୀ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହିତ କୋଚିଂ ସେଂଟରରେ କର୍ମଚାରୀଙ୍କୁ ଘଟଣା ସମ୍ବନ୍ଧରେ ପଚାରି ବୁଝି ଛନ୍ତି । ମୃତକ ମାନଙ୍କ ମଧ୍ୟରେ ନୟାଗଡ ଅଂଚଳର ୫ମ ଶ୍ରେଣୀରେ ପଢୁ ଥିବା ରାଜା ନାଏକ (୧୧), ବଡଗୁରୁବେଡାର ୫ମ ଶ୍ରେଣୀରେ ପଢୁଥିବା ରିନା ନାଏକ (୮) , ୩ୟ ଶ୍ରେଣୀରେ ପଢୁଥିବା ଉଚ୍ଚବାଲି ଅଂଚଳର ସ୍ନେହାଶ୍ରୀ ନାଏକ ୯ ବର୍ଷ ଓ କଟକ ସ୍ଥାନାନ୍ତର କରାଯାଇଥିବା ପଂଚମ ଶ୍ରେଣୀ ୧୧ ବର୍ଷର ଛାତ୍ର ଆକାଶ ନାଏକ ବୋଲି ଜଣାଯାଇଛି । ଘଟଣା ଅନୁସାରେ ଜାଲି ପଂଚାୟତର ନିଶ୍ଚିନ୍ତପୁର ଠାରେ ଏକ କୋଚିଂ ସେଂଟରରେ ଛାତ୍ର ଛାତ୍ରୀ ଶୋଇଥିବା ବେଳେ ରାତି ପ୍ରାୟ ୩ ଘଟିକା ସମୟରେ ବିଶାକ୍ତ ସର୍ପ ଦଂସନ କରିଥିଲା । ଉକ୍ତ ସମୟରେ ଉକ୍ତ କୋଚିଂ ସେଂଟରର ଅନ୍ତେବାସୀ ମାନେ ବାହାରକୁ ପରିଶ୍ରା ପାଇଁ ଉଠିଥିବା ବେଳେ ଛାତ୍ର ଶୋଇଥିବା କୋଠରୀ ମଧ୍ୟରୁ ବିଶାକ୍ତ ସାପଟି ବାହାରକୁ ଆସୁଥିବା ଦେଖିବାକୁ ପାଇଥିଲେ । ଏ ବିଷୟରେ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କୁ ଅବଗତ କରିବା ପରେ କର୍ମଚାରୀ ମାନେ ମିଳିତ ଭାବରେ ସାପଟିକୁ ବାଡେଇ ମାରି ଦେଇଥିଲେ । ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ସାପଟିକୁ ମାରି ଦେବା ପରେ ଜଣେ ଛାତ୍ର ନିଜକୁ ଅସୁସ୍ଥ ଅନୁଭବ କରିବାରୁ କୋଚିଂ ସେଂଟର କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲା ଚିକିତ୍ସାଳୟକୁ ନେଇ ଯାଇଥିଲେ । ଏହାର କିଛି ସମୟ ପରେ ଆଉ ୨ ଜଣ ଛାତ୍ର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁଣି ଥରେ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା । ଏତିକିରେ ସମସ୍ୟା ଥମି ନଥିବା ବେଳେ ଆଉ ଜଣେ ଛାତ୍ର କିଛି ସମୟ ବ୍ୟବଧାନରେ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଜିଲା ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ପକ୍ଷରେ କୌଣସି ସରକାରୀ ଅନୁମତି ନଥାଇ ଏହି କୋଚିଂ ସେଂଟର ଚାଲୁଥିବା ବେଳେ ୧୧୬ ଜଣ ଅନ୍ତେବାସୀ ଏହି କୋଚିଂ ସେଂଟରରେ ରହି ଅଧ୍ୟୟନ କରୁଥିଲେ । ଅସ୍ୱାସ୍ଥ୍ୟକର ପରିବେଶରେ ଛାତ୍ର ମାନେ ଅଧ୍ୟୟନ କରୁଥିବା ବେଳେ ଛାତ୍ର ମାନେ ତଳେ ଶୋଉଥିଲେ ଏବଂ କୋଠରୀର ଆବଶ୍ୟକତା ଠାରୁ ଅଧିକ ଛାତ୍ର ରହୁଥିଲେ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ କି ଉକ୍ତ କୋଚିଂ ସେଂଟରର ମାଲିକ ଖଗେଶ୍ୱର ମହାନ୍ତ ପୂର୍ବରୁ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଉକ୍ତ କୋଚିଂ ସେଂଟର କୌଣସି ଅନୁମତି ନଥିବା ଜଣାଯାଇଛି ।

Comments (0)
Add Comment