ନେହରୁ ଯୁବ କେନ୍ଦ୍ର ଏବଂ ପାରା ଲିଗାଲ ଭଲ୍ୟୁଣ୍ଟରମାନଙ୍କ ଦିନିକିଆ କର୍ମଶାଳା

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ସୁରକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଏବଂ ପାରା ଲିଗାଲ ଭଲ୍ୟୁଣ୍ଟର ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଆଜି ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର ଅଧ୍ୟକ୍ଷତା କରି ଶିଶୁ ସୁରକ୍ଷାରେ ସମାଜର ଦାୟିତ୍ୱ, ନେହରୁ ଯୁବ କେନ୍ଦ୍ର ଭଲ୍ୟୁଣ୍ଟର ଏବଂ ପାରା ଲିଗାଲ ଭଲ୍ୟୁଣ୍ଟର ମାନଙ୍କର ଭୂମିକା ସମ୍ପର୍କରେ ସୁଚାଇ ଶିଶୁ କିଭଳି ଜନ୍ମ ହେବା ପୂର୍ବାବସ୍ଥାରୁ ପାଠ ପଢି ଚାକିରି ବା ନିଜ ଗୋଡରେ ନିଜେ ଠିଆ ହେବା ପର୍ଯ୍ୟନ୍ତ ଶିଶୁ ଅସୁରକ୍ଷିତ ପରିବେଶ ଅତିକ୍ରମ କରିଥାଏ ଯଥା ଗର୍ଭବସ୍ଥାରେ ଲିଙ୍ଗ ନିରୂପଣ କରିବା, ଶିକ୍ଷା ପ୍ରାପ୍ତ ପୂର୍ବରୁ ଶ୍ରମିକ ଭାବେ ଲଗାଇବା, ପାଠ ପଢିବା ସମୟରେ ସ୍କୁଲ କଲେଜରେ ରେଗିଙ୍ଗ, କର୍ମକ୍ଷେତ୍ରରେ ଯୌନ ଶୋଷଣ, ଘରେ ଝିଅ ମାନେ ମା ବାପାଙ୍କ ଦ୍ୱାରା ଶୀଘ୍ର ବାହା କରି ଦାୟିତ୍ୱ ତୁଟାଇଦେବା ଇତ୍ୟାଦି ସମସ୍ୟାରୁ ଶିଶୁ ମୁକୁଳି ପାରିନଥାଏ । ଏଣୁ ଆମେ ସାଧାରଣ ଲୋକଙ୍କୁ ଅତି ସହଜରେ ଆଇନର ବାର୍ତ୍ତା ନେବା ସହ ସଚେତନତା ବୃଦ୍ଧି କରାଇଲେ ଆମ ଜିଲ୍ଲାରେ ଉଦୁଲିଆ, ବାଲ୍ୟବିବାହ, ଶିଶୁଙ୍କୁ ଯୌନ ଶୋଷଣ, ବାଲ୍ୟ ଶ୍ରମିକ ଭଳି ଅସୁରକ୍ଷିତ ସ୍ଥିତିରୁ ଶିଶୁମାନଙ୍କୁ ଉଦ୍ଧାର କରିପାରିବା ସହ ଜିଲ୍ଲାକୁ ବିକାଶ ଦିଗରେ ଅଗ୍ରସର କରିବା ବୋଲି ଜଣାଇଥିଲେ । ପ୍ରତ୍ୟେକ କିଶୋର କିଶୋରୀ, ଯୁବକଯୁବତୀମାନଙ୍କ ପାଇଁ ବିଭିନ୍ନ ପ୍ରକାର କୌଶଳ ଜ୍ଞାନ ପ୍ରଦାନ କରାଯାଇଛି । ବିଭିନ୍ନ ପ୍ରକାର ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ ଯୁବ ପିଢ଼ି ମାନେ ସଚେତନ ନ ଥିବାରୁ ଏ ସବୁର ଫାଇଦା ଉଠାଇପାରୁନାହାନ୍ତି । ଏଣୁ ଏନୱାଇକେ ପାରାଲିଗାଲ ଭଲ୍ୟୁଣ୍ଟାର ମାନେ ତାଲିମ ପାଇବା ପରେ ଜନ ସଚେତନତା ସୃଷ୍ଟି କରି ସରକାରଙ୍କୁ ବିକାଶ ଦିଗରେ ସହଯୋଗ ଦେବେ ବୋଲି ଆଶା ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଶିଶୁର ସଂଜ୍ଞା, ଶିଶୁ ସୁରକ୍ଷା ଆଇନ ତଥା ଶିଶୁ ଅଧିକାର ସମୂହ ବିଷୟରେ ସୂଚାଇବ ସହ ଏନୱାଇକେ ଓ ଭଲ୍ୟୁଣ୍ଟାରସ ଭୂମିକା ମାନଙ୍କର ପ୍ରମୁଖ ଭୂମିକା ରହିଥିବାରୁ ସେମାନଙ୍କୁ ଦାୟିତ୍ୱ ନେବାପାଇଁ ମତବ୍ୟକ୍ତ କରିଛନ୍ତି । ସେହିପରି ଶ୍ରୀମତୀ ମନୋରମା ମାଝୀ ପୂର୍ବତନ ସିଡିପିଓ ତାଲିମଦାତା ରୂପେ ଯୋଗଦାନ କରି ଶିଶୁର ବିଭିନ୍ନ ଅଧିକାର ତଥା ବାଲ୍ୟ ବିବାହ ସମ୍ପର୍କରେ ବୁଝାଇଥିଲେ । ସେଭଳି ଆଡ଼ଭୋକେଟ ଶ୍ରୀମତୀ ମିନାକ୍ଷୀ ପାତ୍ର ବିଭିନ୍ନ ଆଇନ ବିଷୟରେ ବୁଝାଇ ଆଇନ ଦ୍ୱାରା ଲିପ୍ତ ବା ଆଇନରେ ଦ୍ୱନ୍ଦରେ ଥିବା ଶିଶୁଙ୍କ ଥଇଥାନ ସମ୍ପର୍କରେ ବୁଝାଇଥିଲେ । ସେପରି ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇ ଯୁବଗୋଷ୍ଠୀଙ୍କୁ ଆଗକୁ ଯାଇ ଶିଶୁ ସୁରକ୍ଷା ବାଲ୍ୟ ବିବାହ ବିଷୟରେ ଜବସଚେତନା ସୃଷ୍ଟି କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଲିଗାଲ ପ୍ରୋବେଶନ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା, ଅନୁଷ୍ଠାନ ସୁରକ୍ଷା ଅଧିକାରୀ ଶ୍ରୀମତୀ କୁନିମଣି ସ୍ୱାଇଁ, କିଷାନ ପଟ୍ଟନାୟକ, ସ୍ୱାତିଶ୍ରୀ ପଟ୍ଟନାୟକ, ସାଗର ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ କୁନି ମଣି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment