ଗଣିଆ : ୮୦ ବର୍ଷ ପରେ ବି ମିଳୁନି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା । ବ୍ଳକ ଅଫିସ ଧାଇଁ ଧାଇଁ ଚପଲ ସରିଗଲାଣି । ଗଣିଆ ବ୍ଳକ ବଡ଼ସିଲିଙ୍ଗା ପଞ୍ଚାୟତ ସେନେପେରୀ ଗ୍ରାମର ଗୁରୁଦେବ ନାୟକ ଏବଂ ତାଙ୍କ ପତ୍ନୀ ଭଗବତୀ ନାୟକଙ୍କୁ ନେଇ ତାଙ୍କ ପରିବାର । ପୁଅଟିଏ ଥିଲା ଯେ ତାକୁ ଗୁଣି ଗାରେଡ଼ି କରି ମାରିଦେଲେ । ଏବେ ବୁଢ଼ାବୁଢ଼ୀ ନିଃସନ୍ତାନ, ଅସହାୟ ଜୀବନ ଅତିବାହିତ କରୁଛନ୍ତି । ଭଙ୍ଗା ଦଦରା କୁଡ଼ିଆରେ ବିତୁଛି ଦମ୍ପତିଙ୍କ ଜୀବନ । ଦିନରେ ସୂର୍ଯ୍ୟଙ୍କ କିରଣ ଏବଂ ରାତିରେ ଚନ୍ଦ୍ରାଲୋକ ପଡୁଛି ଘର ଭିତରେ । ଦୀର୍ଘଦିନ ହେବ ଚାଳ ଛପର ନହୋଇ ଘର ଭିତରେ ବର୍ଷା ହେଲେ ଗଦଗଦ ହୋଇ ପାଣି ବର୍ଷୁଛି । ଅତ୍ୟନ୍ତ ବିପଦପୂର୍ଣ୍ଣ ଘରେ ବାସ କରୁଛନ୍ତି । ସରକାର ସମସ୍ତଙ୍କୁ ପକ୍କା ଘର ଦେଇ ନିଜ ସଫଳତାର ଡିଣ୍ଡିମ ପିଟୁଥିବା ବେଳେ ଏହି ଦମ୍ପତିଙ୍କ ଘରକୁ ଦେଖିଲେ ସରକାରଙ୍କର ଏହି ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଥିଲାବାଲାଙ୍କୁ ଘର ମିଳୁଥିବା ବେଳେ ଗୁରୁଦେବଙ୍କୁ ଘରଟିଏ କାହିଁକି ମିଳୁନାହିଁ ତାହା ଏବେ ଆଲୋଚ୍ୟ ବିଷୟ ପାଲଟିଛି । ଏହି ଘର ଖଣ୍ଡିକ କେତେବେଳେ ଯେ ଭୂଷୁଡି କିଛି ବି ଅଘଟଣ ନ ଘଟିବ କହିହେବ ନାହିଁ । ବୟସର ଅପରାହ୍ନରେ ପହଞ୍ଚି ଥିଲେ ମଧ୍ୟ ବାଡି ଖଣ୍ଡିଏ ଧରି ନଇଁ ନଇଁ ନିଜ ରୋଗିଣା ସ୍ତ୍ରୀକୁ ଧରି ପଡି ରହିଛନ୍ତି । ଆଉ ଗୋଟିଏ କଥା ଦୀର୍ଘ ୫ ମାସ ହେବ ୮୦ ବର୍ଷ ପରେ ବର୍ଦ୍ଧିତ ଭତ୍ତା ପାଇବାକୁ ବ୍ଳକ କାର୍ଯ୍ୟାଳୟ ଧାଇଁ ଧାଇଁ ନିରାଶ ହୋଇପଡିଛନ୍ତି । ଭତ୍ତା ଟଙ୍କାକୁ ଆଶ୍ରା କରି ବଞ୍ଚୁଥିବାରୁ ୩୫୦୦ ଟଙ୍କା ଭତ୍ତା ମିଳିଯାଆନ୍ତା ତେବେ ନିଜର ଗୁଜୁରାଣ ମେଣ୍ଟାଇବାରେ କିଛି ବି ଅସୁବିଧା ହୁଅନ୍ତା ନାହିଁ । ତାଙ୍କ ଗ୍ରାମ ଠାରୁ ଗଣିଆ ବ୍ଳକ ୩୦ କିଲୋମିଟର ଦୂର ଜଙ୍ଗଲ ଭିତରେ ଥିବାରୁ ଥରେ ଅଟୋଭଡା କରି ଆସିଲେ ୫ ଶହ ଟଙ୍କା ଖର୍ଚ୍ଚ ହେଉଛି । ଉକ୍ତ ଗ୍ରାମକୁ ମୋବାଇଲ ଟାୱାର ନଥିବା ବେଳେ ରାସ୍ତା ନଥିବାରୁ ଯୋଗାଯୋଗ ହୋଇପାରୁନଥିବାରୁ କେହି ବି ଆଡ ଆଖିରେ ଚାହୁଁ ନାହାନ୍ତି । ଦମ୍ପତ୍ତିଙ୍କର ବୃଦ୍ଧା ବୟସରେ କେହି ସାହାରା ନଥିବା ବେଳେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ତାଙ୍କୁ ବର୍ଦ୍ଧକ ଭତ୍ତା ପ୍ରଦାନ କରିବା ସହିତ ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।