ବାଲିଗୁଡ଼ା: ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଏବେ ଆକ୍ସନ୍ ମୁଡ୍ ରେ ଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନ ମଧ୍ୟରେ ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ୭୯ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ବାଲିଗୁଡ଼ା ସହରରେ ଦିନକୁ ଦିନ ବେପରୁଆ ଗାଡ଼ି ଚାଳନା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଅକାରଣରେ ନିରିହ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଗତ ଦୁଇଦିନ ତଳେ ବାଲିଗୁଡ଼ା ମୁଖ୍ୟ ବଜାରରେ ଜଣେ ନିଶାସକ୍ତ ଯୁବକ ବେପରୁଆ ଗାଡ଼ି ଚାଳନା କରି ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ସାହୁ ନିଜ ଟିମ୍ ସହ ସହରରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ୍ ପ୍ରକ୍ରିୟାକୁ ମଧ୍ୟ କଡ଼ାକଡ଼ି କରିଥିବା ଦେଖିବାକୁ ମିଳିଛି । ଫଳରେ ଅମାନିଆ ଓ ବେପରୁଆ ଗାଡ଼ି ଚାଳକଙ୍କ ମନରେ ଏବେ ଛନକା ପସିଲାଣି । ବାଲିଗୁଡ଼ା ପୋଲିସର ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିବା ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ସୁଶାନ୍ତ ସାହୁ ।