ପୁରୀ ଜିଲ୍ଲା ସ୍ତରୀୟ ନୂଆଁଖାଇ ପର୍ବ ପାଳିତ,ନୂଆଁଖାଇ ପରମ୍ପରା ଓ ଭାଇଚାରାର ପ୍ରତୀକ

ପୁରୀ : ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ଆମ ସଂସ୍କୃତି,ସଦଭାବନା ଓ ଭାଇଚାରାର ପ୍ରତୀକ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ । ଆଜି ଅପରାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୂଆଁଖାଇ ପର୍ବ ପାଳିତ ହୋଇଥିଲା । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ବାର ମାସରେ ତେର ପର୍ବ ଆମ ମହାନ ସଂସ୍କୃତିର ଅଂଶ ବିଶେଷ । ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ । ବିଶେଷ ପର୍ବ ଭାବେ ଏହା ସେହି ଅଞ୍ଚଳରେ ପାଳନ କରାଯାଉଥିଲେ ମଧ୍ୟ ବର୍ତ୍ତମାନ ଓଡ଼ିଶାର ସର୍ବତ୍ର ଏହା ପାଳିତ ହେଉଛି।। ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ନୂଆଁଖାଇ ପର୍ବ ପାଳନ ପାଇଁ ବ୍ୟବସ୍ଥା କରିଛନ୍ତି । ଯାହା ସାଂସ୍କୃତିକ ବିବିଧତା ମଧ୍ୟରେ ଏକତାର ପ୍ରତିଷ୍ଠା କରୁଛି ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଡେପୁଟି କଲେକ୍ଟର ସୁମନ୍ତ କୁମାର କର ଅତୀତର ସ୍ମୃତି ଚାରଣ କରିବା ସହ ପାରସ୍ପରିକ ସ୍ନେହ, ସଦିଚ୍ଛା,ଭଲ ପାଇବା ଓ ଭାଇଚାରା ନୂଆଁଖାଇର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଯେତେ ଦୂରରେ ଥିଲେ ବି ନୂଆଁଖାଇ ପାଇଁ ଲୋକଟି ତା ପରିବାର ସହ ମିଶିବା ଏକାଠି ଖାଇବା ଇତ୍ୟାଦି ବଡ ସଦଭାବ ବୋଲି ସେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଆମର ପୂର୍ବ ପରମ୍ପରା ଆସ୍ତେ ଆସ୍ତେ ଭାଙ୍ଗି ଯାଉଛି । ଯାହା ଫଳରେ ଭବିଷ୍ୟତ ପିଢ଼ି ଆମ ମହାନ ସଂସ୍କୃତି ସମ୍ପର୍କରେ ଅଜ୍ଞ ରହିଯାଉଛି,ଏହା ଫଳରେ ବୟସ୍କଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ହ୍ରାସ ପାଉଛି ବୋଲି କହିବା ସହ ନୂଆଁଖାଇ ପର୍ବ ପାଳନ ଆମ ପରମ୍ପରା ଓ ଭାଇଚାରାକୁ ମଜବୁତ କରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଓଡ଼ିଆ ସଂସ୍କୃତି ଓ ନୂଆଁଖାଇର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଶ୍ୟାମ ପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନେ କଳାକାର ଓ କଳା ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଡେପୁଟି କଲେକ୍ଟର ଶ୍ରୀ କର ଅକ୍ଷୟ ମହାନ୍ତିଙ୍କ ଦୁଇଟି ଗୀତକୁ ତାଙ୍କ ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ ।
ଶେଷରେ ପୁରୀର ରୂପା ଆଣ୍ଡ ଟ୍ରୁପ, ନବପ୍ରତିଭା, ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଓ ଅନିତା କଲଚରାଲ ଏକାଡେମୀ ପକ୍ଷରୁ ବିବିଧ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ହାପିନେସ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ଓ ଅନ୍ୟ କଳାକାର ମାନେ ଉପସ୍ଥିତ ଥିଲେ ।

Comments (0)
Add Comment