ମଦ ବିରୋଧି ଆନ୍ଦୋଳନ ନେଇ ତେଜିଲେ ମହିଳା, ଭାଙ୍ଗିଲେ ମଦ ଭାଟି,କଲେ ସଚେତନ

ଘୁ ଉଦୟଗିରି:ସ୍ଥାନୀୟ ବ୍ଲକ ଅଧିନରେ ଥିବା କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ୫ଖଣ୍ଡ ଗ୍ରାମର ମହିଳା ମିଳିତ ଭାବେ ମଦ ବିରୋଧ ଅନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ କତିଙ୍ଗିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ରନ୍ଧା ହେଉଥିବା ମହୁଲି ମଦକୁ ବିଭିନ୍ନ ବର୍ଗର ଲୋକେ ପାନ କରୁଛନ୍ତି । ବୟସ୍କ ଓ ଯୁବକ ମଧ୍ୟ ମଦ୍ୟ ପାନରେ ଲିପ୍ତ ରହୁଥିବା ବେଳେ ଅନେକ ସମୟରେ ସେହି ପରିବାର ମଧ୍ୟରେ ଅଶାନ୍ତି, ମାଡ ପିଟା ଓ ଝଗଡ଼ା ଭଳି ସମସ୍ୟା ସୃଷ୍ଟି ହେବା ସହିତ ଯୁବକ ମାନେ ମଦ୍ୟ ପାନ ସହିତ ଯୋଡ଼ିତ ରହୁଛନ୍ତି ଓ ପାଠ ପଢା ସହିତ ନିଜର ଭବିଷ୍ୟତ ଭୁଲି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇ ପାରିବାରିକ ସୁଖ ଶାନ୍ତିରୁ ବିଚ୍ଛେଦ ହେଉଛି । ଏବେ ଏହି ସମସ୍ତ ବିଷୟ ଅନୁଧ୍ୟାନ କରି ୫ ଖଣ୍ଡ ଗ୍ରାମର ମହିଳା ଏକତ୍ରିତ ହୋଇ ବିଭିନ୍ନ ସ୍ଥାନରେ ମଦ ଭାଟିକୁ ଯାଇ ମଦ ଭାଟି ଭାଙ୍ଗିବା ସହିତ ମଦ ଜବତ କରିଥିବା ସୂଚନା ମିଳିଛି । କତିଙ୍ଗିଆ ଛକ ନିକଟ ଜଙ୍ଗଲରେ ଥିବା ଭାଟି ଗୁଡ଼ିକ ଭାଙ୍ଗି ନଷ୍ଟ କରିବା ସହିତ ସେମାନଙ୍କୁ ଆଉ ମଦ ନ ରାନ୍ଧିବା ପାଇଁ ସତର୍କବାଣୀ ଦେବା ସହିତ ସଚେତନ କରିଛନ୍ତି ନିଜ ଗ୍ରାମର ମାଆମାଉସୀ ମାନେ । ମଦ ରାନ୍ଧି ବିକ୍ରୟ କରୁଛନ୍ତି ପଇସା ପାଇଁ କିନ୍ତୁ ତା ପ୍ରତିବଦଳରେ ଅନେକ ପରିବାର ନଷ୍ଟ ହେଉଛି, ଅଶାନ୍ତିର ବାତାବରଣରେ ରହୁଛନ୍ତି,ଯୁବକ ମାନଙ୍କର ଭବିଷ୍ୟତ ନଷ୍ଟ ହେଉଛି, ଏହିପରି କଥା କହିବା ସହିତ ଆଗକୁ ନ ରାନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ପାଖାପାଖି ଅନେକ ଲିଟର ମଦ ଜବତ କରି ନଷ୍ଟ କରିଥିବା ସୂଚନା ରହିଛି । ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେଥି ନିମନ୍ତେ ମହିଳାମାନେ ଏକତ୍ରିତ ହୋଇ ମଦ ବିରୋଧ ଆନ୍ଦୋଳନ ଚାଲିଥିବା ବେଳେ ଅଞ୍ଚଳରେ ମଦ ରନ୍ଧା ଓ ବ୍ୟବସାୟ ବନ୍ଦ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ମହିଳାମାନେ ସୂଚନା ଦେଇଛନ୍ତି ।

Comments (0)
Add Comment