ମର୍ଜାକୁଦଠାରେ ବୁଣାକାର ସଚେତନତା ଶିବିର,ବୁଣାକାରଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ

ବୌଦ୍ଧ : ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ବୌଦ୍ଧଙ୍କ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ ତନ୍ତୁବାୟ ସହଯୋଗ ସମିତିଲିଃ ତରଫରୁ ମର୍ଜାକୁଦ ଗ୍ରାମରେ ବୁଣାକାର ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଉକ୍ତ ଗ୍ରାମରେ ପହଂଚିବା ପରେ ଗ୍ରାମବାସୀମାନଙ୍କ ତରଫରୁ ପ୍ରତ୍ୟେକ ଘରେ କୁମ୍ଭ କଳସୀ ସ୍ଥାପନା କରି ଭବ୍ୟ ସ୍ୱାଗତ ଜଣାଇବା ସହିତ ବାବା ଗୁପ୍ତେଶ୍ୱର ମନ୍ଦିର ପରିସରକୁ ପାଛୋଟି ଆଣିଥିଲେ । ସେଠାରେ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ ଓ ପରିବେଶ ସୁରକ୍ଷା, ପଂଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ବୁଣାକାରମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ବୟନ କଳାର ଉକ୍ରର୍ଷ ପାଇଁ ବୟନ କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କାର ଲାଭ କରି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଥିବାରୁ ବୟନ କାର୍ଯ୍ୟରେ ବୁଣାକାର ମାନଙ୍କୁ ଅଧିକରୁ ଅଧିକ ମନ ନିବେଶ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବୌଦ୍ଧ ଏନ.ଏ.ସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ମର୍ଜାକୁଦର ସାମଗ୍ରିକ ବିକାଶ ଦିଗରେ ଆଲୋକପାତ କରିଥିଲେ । ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଅରୁଣ କୁମାର ପ୍ରଧାନ ଯୋଗଦେଇ ବୁଣାକାରଙ୍କୁ ବଳିଆ ଯୋଜନାରେ ଅଧିକରୁ ଅଧିକ ସାମିଲ କରାଯାଇ ବ୍ୟାଙ୍କ ତରଫରୁ ଋଣ ଯୋଗାଇ ଦେବାକୁ ନିଜ ବକ୍ତବ୍ୟରେ କହିଥିଲେ । ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟର ରଘୁନାଥ ପୂଝାରୀ ଯୋଗଦେଇ ରାଜ୍ୟ ସରକାରଙ୍କ ଠାରୁ ବୁଣାକାର ମାନଙ୍କୁ ମିଳୁଥିବା ବୁଣାକାରଙ୍କ କର୍ମଶାଳା, ତନ୍ତଗର୍ତ ଢଳେଇକରଣ, ତନ୍ତ ଓ ତନ୍ତସରଞ୍ଜାମ, ଇନଭେଟର ଆଦି ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ବୁଣାକାର ସମାଜର ସଭାପତି ପଙ୍କଜ ମେହେର ଯୋଗଦେଇ ବୁଣାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବୁଣାକାର ମାନେ ସରକାରୀ ଯୋଜନାରେ କିପରି ସାମିଲ ହୋଇ ଅଧିକରୁ ଅଧିକ ଲାଭ ପାଇ ପାଇପାରିବେ ସେ ବିଷୟରେ ପ୍ରକାଶ ଚନ୍ଦ୍ର ମେହେର ନିଜ ସଭାପତିତ୍ୱ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଅତିଥି ପରିଚୟ ପ୍ରଦାନ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ ବୟନ ଗବେଷକ ରମେଶ ପ୍ରସାଦ ମେହେର । ଏହି ଶିବିରରେ ଆଠ ଜଣ ବରିଷ୍ଠ ବୁଣାକାର ଜଗନ୍ନାଥ ମେହେର, ପିତାମ୍ବର ମେହେର, ବୈରାଗୀ ମେହେର, ତ୍ରିନାଥ ମେହେର, ଲକ୍ଷ୍ମଣ ମେହେର,ଅନନ୍ତ ମେହେର, ପୂର୍ଣ୍ଣ ଚନ୍ଦ୍ର ମେହେର ଓ ହିମାଂଶୁ ମେହେରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଖଗେଶ୍ୱର ମେହେର, ସନ୍ତୋଷ ମେହେର, ଅନ୍ନତ ମେହେର, ବିଜୟ ମେହେର, ଅକୃର ମେହେରଙ୍କୁ ଇନ୍‌ଭେଟର ମାଗଣାରେ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ବୌଦ୍ଧ ତରଫରୁ ସମସ୍ତ କର୍ମଚାରୀ ଓ ସମିତିତରଫରୁ ଉଦ୍ଧବ ମେହେର , ଲିଙ୍ଗରାଜ ମେହେର ,ବିନୋଦ ମେହେର, ବିକାଶ ମେହେର ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଉଦ୍ଧବ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment