ପୁରୀ : ପୁରୀ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ମେଳା ଚଳିତ ମାସ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଶରଧାବାଲିଠାରେ ଅନୁଷ୍ଠିତ ହେବ ।ଏଥିରେ କୃଷକ ମାନଙ୍କୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ପ୍ରଦର୍ଶନ, ତାହାର ଉପଯୋଗ ଓ ଆଗ୍ରହୀ କୃଷକ ମାନଙ୍କୁ ବିକ୍ରୟର ବ୍ୟବସ୍ଥା କରାଯାଇଛି ।ତତ ସହିତ କୃଷକମାନଙ୍କ ସହ ଆଲୋଚନା ଚକ୍ର, ସେମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ ।ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ମେଳାକୁ ଶୃଙ୍ଖଳିତ ଓ ସୁଚାରୁରୂପେ ସଂପର୍ଣ୍ଣ କରିବାକୁ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ସହ କୃଷକମାନଙ୍କୁ ସୂଚନା ଦେବା ଓ ସେମାନଙ୍କ ଆବଶ୍ୟକତା ଅନୁସାରେ କୃଷି ଯନ୍ତ୍ରପାତି କ୍ରୟରେ ସହଯୋଗ ଦେବାକୁ କୃଷି ଅଧିକାରୀ ମାନଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ମେଳା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ମଞ୍ଜୁଳା ତ୍ରିପାଠୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କୃଷି ଅଧିକାରୀ ସୁଶାନ୍ତ କୁମାର ମହାନ୍ତି,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।