ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ

ପୁରୀ : ବନକ ଲାଗି ନୀତିପରେ ନବଯୌବନ ପ୍ରାପ୍ତି ହୋଇଛନ୍ତି ଶ୍ରୀଜୀଉ ।ଆଜି ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ ।ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଅସୁସ୍ଥ ଶ୍ରୀଜୀଉ ଦୀର୍ଘ ୧୫ ଦିନ ପରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ । ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ରହିଛି ବିଶ୍ୱାସ । ପ୍ରାୟ ୩ଘଣ୍ଟାର ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । ପରିମାଣିକ ଟିକେଟ କିଣିଥିବା ଶ୍ରଦ୍ଧାଳୁମାନେ ଦକ୍ଷିଣ ଦ୍ୱାର ଦେଇ ସକାଳ ୮ ଟା ଠାରୁ ୯ ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନର ସୂଚନା ରହିଥିବା ବେଳେ ୯ଟା ଠାରୁ ୧୧ ଟା ହେବ ସାହାଣ ମେଲା ଦର୍ଶନ । ଆସନ୍ତାକାଲି ରଥାରୂଢ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଶ୍ରୀବିଗ୍ରହ । ସେପଟେ ଆଜ୍ଞାମାଳ ପରେ ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡାକୁ ନିଆଯିବ । ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡାକୁ ଟାଣି ନେବେ । ତିନି ରଥକୁ ଉତ୍ତରମୁହାଁ କରି ରଖାଯିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ରଥରେ ଠାକୁରକୁ ବିଜେ କରି ରଥଟଣା ଆରମ୍ଭ ହେବ । ଆଜି ନବ ଯୌବନ ଦର୍ଶନରେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ବିଜେ ପୁରୀ ଏସପି ଦର୍ଶନ କିଭଳି ରହିଛି ଅନୁଧ୍ୟାନ କରୁଛନ୍ତି ।

Comments (0)
Add Comment