ବାଇକ ଚୋରି ର‍୍ୟାକେଟର ପର୍ଦ୍ଦାଫାସ

ସୁବର୍ଣ୍ଣପୁର: ଗତ ଡିସେମ୍ବର ୮ ତାରିଖରେ ବୀରମହାରାଜପୁର ଅଂଚଳରୁ ଏକ ହିରୋ ଡିଲକ୍ସ ମୋଟର ସାଇକେଲ ଚୋରି ହୋଇଥିବା ଥାନାରେ ଏତଲା ହୋଇଥିଲା । ଏହି ଚୋରି ବାଇକ ଉଦ୍ଧାର କରିବା ସହିତ ବାଇକ ଚୋରଙ୍କୁ ଠାବ କରିବା ପାଇଁ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଅନୁସଂଧାନ ଆରମ୍ଭ କରାଯାଇଥିଲା । ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଚିତ୍ତରଂଜନ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଅନେକ ମୋଟର ସାଇକେଲ ରଖି ପୁରୁଣା ମୋଟର ସାଇକେଲ ବିକ୍ରୀ କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ସ୍ଥାନୀୟ ପୋଲିସ ସହାୟତାରେ ସୋନପୁର ସଦର ପୋଲିସ ଚିତ୍ତରଂଜନ ପାଣିଗ୍ରାହୀଙ୍କ ଘରେ ଚଢାଉ କରି ୧୨ ଗୋଟି ମୋଟର ସାଇକେଲ ଜବତ କରିଛି । ଜିଲ୍ଲାର ବିଭିନ୍ନ ଅଂଚଳରୁ ବାରମ୍ବାର ବାଇକ ଚୋରି ହେଉଛି । ଏପରିକି ପଡୋଶୀ ବୌଦ୍ଧ, ବରଗଡ, ବଲାଂଗିର ଓ ସମ୍ବଲପୁର ଜିଲ୍ଲାରୁ ବ୍ୟାପକ ପରିମାଣରେ ବାଇକ ଚୋରି ହୋଇ ଚୋର ଦଳ ଏଣେ ତେଣେ ବିକ୍ରୀ କରୁଥିବା ଜିଲ୍ଲା ପୋଲିସ ଖବର ପାଉଥିଲେ । ତେବେ ନିକଟରେ ବୀରମହାରାଜପୁର ଅଂଚଳରୁ ଚୋରୀ ହୋଇଥିବା ବାଇକ ଉଦ୍ଧାର ପାଇଁ ପୋଲିସର ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ବାଇକ ଚୋରି ର‍୍ୟାକେଟ୍‌ର ଧିରେ ଧିରେ ପର୍ଦ୍ଦାଫାସ ହେଉଛି । ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଅନୁସଂଧାନକାରୀ ଦଳ ବାଇକ ଚୋରି ଗ୍ୟାଙ୍ଗର ମୁଖ୍ୟ ଚିତ୍ତରଂଜନ ପାଣିଗ୍ରାହୀକୁ କଣ୍ଟାମାଲ ଅଂଚଳରୁ ଗିରଫ କରି ପଚରାଉଚୁରା ଜାରି ରଖିଛି । ଏହି ବାଇକ ଚୋରି ଗ୍ୟାଙ୍ଗରେ ଆଉ କେହି କେହି ସଂପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଯାଗାରେ ଚଢାଉ ଜାରି ରଖିଛି । ଗିରଫ ଚୋରି ଦଳର ମୁଖ୍ୟ ଚିତ୍ତରଂଜନ ପାଣିଗ୍ରାହୀର ବୟାନ ଆଧାରରେ ପୋଲିସକୁ ଆଗକୁ ବଡ ସଫଳତା ମିଳିବ ବୋଲି ଆଶା କରାଯାଉଛି । ତେବେ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରୁଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ହେମନ୍ତ କୁମାର ପାଢ଼ୀ ଓ ସଦର ଆଇଆଇସି ପଦ୍ମାସିନୀ ମେହେରଙ୍କ ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Comments (0)
Add Comment