ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ସହ ସହଯୋଗୀ କାର୍‌ ଜବତ, ୩ ମାଫିଆ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍‌ । ୧୭୫କେଜି ୬୦୦ ଗ୍ରାମ ଓଜନର ବେଆଇନ୍‌ ଗଞ୍ଜେଇ ସହ ଗୋଟିଏ ଟ୍ରକ୍‌ ଓ ଗୋଟିଏ କାର୍‌କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍‌ । ଘଟଣାରେ ସଂପୃକ୍ତ ତିନିଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍‌ ପେଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ (JH09BB 7281) ଦ୍ରୁତ ଗତିରେ ଯାଉଥିବା ବେଳେ ମହାସିଙ୍ଗ ଗାଁ ନିକଟସ୍ଥ ଖଡ୍ଗ ନଦୀ ନିକଟରେ ଟ୍ରକଟିକୁ କାବୁ କରିଥିବା ବେଳେ ସହଯୋଗୀ ଫର୍ଡ ଆଇକନ୍‌ କାର୍‌ (OR01R 2662)କୁ ମଧ୍ୟ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍‌ । ସେଥିରୁ ୧୭୫ କେଜି ୬୦୦ ଗ୍ରାମ ବେଆଇନ୍‌ ଗଞ୍ଜେଇ ଜବତ କରିବା ସହ ତିନିଜଣ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍‌ । ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ହେଉଥିବା ବେଳେ ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ଉମେଶ ସିଂ ଓ ପ୍ରତାପ ସିଂ ତେତୁଲମାରି, ଝାଡ଼ଖଣ୍ଡର ହୋଇଥିବା ବେଳେ ଅନ୍ୟ ଜଣେ ରାଇକିଆ ଅଞ୍ଚଳର ଇସାକ୍‌ ନାୟକ ହୋଇଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନା କେଶ୍‌ ନଂ -୯୬/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ।

Comments (0)
Add Comment