ପାଇପ ଗୋଦାମରେ ଅଗ୍ନିକାଣ୍ଡ

ସମ୍ବଲପୁର:ସ୍ଥାନୀୟ ସମ୍ବଲପୁର ମହାନଗରରୁ ଅନତି ଦୂରସ୍ଥ ମାନେଶ୍ୱର ବ୍ଲକ ମୁଖ୍ୟାଳୟ ସ୍ଥିତ ପାଇପ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ସେଠାକାର ପାଞ୍ଚଟି ପଞ୍ଚାୟତରେ ଗ୍ରାମୀଣ ଜଳଯୋଗାଣ ପରିଯୋଜନା ପାଇଁ ଏସବୁ ପାଇପ କିଣି ଗଚ୍ଛିତ କରାଯାଇଥିଲା । କୌଣସି କାରଣରୁ ସେଥିରେ ନିଆଁ ଲାଗି ଯିବାରୁ ସେ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ କିଛି ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା ଓ ଏହା ପ୍ଲାଷ୍ଟିକ ପାଇପ ହୋଇ ଥିବାରୁ ନିଆଁ ସହଜରେ ନିୟନ୍ତ୍ରଣାଧୀନ ହୋଇପାରିଲା ନାହିଁ । ଏହି ଅଗ୍ନିକାଣ୍ଡ ଫଳରେ ଆକାଶ ପର୍ଯ୍ୟନ୍ତ ଉଠୁଥିବା କଳାଧୂଆଁ ପ୍ରାୟ ୨୦/୨୫ କିଲୋମିଟର ଦୂରରୁ ଦେଖିବାକୁ ମିଳିଥିଲା । ସମ୍ବଲପୁର ମହାନଗର ନିକଟରେ ଥିବାରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଅଗ୍ନିଶମ ଦଳ ଅବିଳମ୍ବେ ସେଠାରେ ପହଞ୍ଚି ଥିଲେ ସୁଦ୍ଧା, ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା । ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ବିଷୟରେ ତଦନ୍ତ ଜାରି ରହିଛି ଓ ଏପର୍ଯ୍ୟନ୍ତ କୌଣସି ଅଧିକୃତ ବକ୍ତବ୍ୟ ମିଳିପାରିନାହିଁ ।

Comments (0)
Add Comment