ନୂଆପଡା : ବିଜୁ ଏକ୍ସପ୍ରେସ ୱେ ବିରେଶକେଲା ଓଭର ବ୍ରିଜରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ରୋଗୀଙ୍କ ୨ ସଂପର୍କୀୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଜଣକ ହେଲେ ଧରଣିମାଲର ଜନକ ମାନହିରା (୬୦), ଗୁରୁତରମାନେ ହେଲେ ଆମ୍ବୁଲାନ୍ସ ଡ଼୍ରାଇଭର ଓ ମୃତକଙ୍କ ଦୁଇ ସମ୍ପର୍କୀୟ ଶୋଭା ମନହିରା (୩୦), ଲକ୍ଷ୍ମଣ ଠେଲା (୪୫) । ଲକ୍ଷ୍ମଣ ମନାହିରା ଅତି ଗୁରୁତର ହେବାରୁ ଘଟଣା ସ୍ଥଳରୁ ତାଙ୍କୁ ସିନାପାଲି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ହେବାରୁ ନିଜ ଘରକୁ ଆଣି ଅନ୍ୟତ୍ର ନେବାକୁ ବ୍ୟବସ୍ଥା କରାଯାଉଥିବା ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି । ଡ୍ରାଇଭର ଏବଂ ଶୋଭା ମାନହିରାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋଡେନରେ ଭର୍ତ୍ତି କରାଯାଇଛି । ଉକ୍ତ ଦୁଇଜଣଙ୍କର ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି । ଖବର ପାଇବାପରେ ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହ ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।ସୂଚନାନୁସାରେ ଛତିଶଗଡ ରାୟପୁର ବାଲାଜି ହସ୍ପିଟଲରୁ ରୋଗୀକୁ ନେଇ ଆସୁଥିବା ଏକ ଆମ୍ବୁଲେନ୍ସ ଗାଡି ନୂଆପଡା ଜିଲ୍ଲା ବୋଡେନ ଥାନା ବିରେଶକେଲା ଗାଁ ଦେଇ ଯାଇଥିବା ଫୋରୱେର ଏକ ସେତୁରେ ପିଟିହୋଇ ଦୁର୍ଘଟଣା ଘଟିଥିଲା । ମୃତକ ଜନକ ମନହିରା ରାୟପୁରର ବାଲାଜି ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ସ୍ୱାସ୍ଥ୍ୟ ଅବସ୍ଥାର ସୁଧାର ନ ଆସିବାରୁ ତାଙ୍କୁ ତାଙ୍କ ନିଜ ଧରଣିମାଲ ଗାଁକୁ ଅଣାଯାଉଥିଲା । ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା ।