ଜନଗହଳି ସ୍ଥାନରୁ ବାଇକ ଚୋରି

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଂଚଳରେ ପୁଣି ସକ୍ରିୟ ହୋଇଛନ୍ତି ଚୋର । କିଛି ଦିନ ଆଗରୁ ଭଜନ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ଗୋଟିଏ କିରାଣୀ ଦୋକାନରୁ ଚୋରି ଘଟଣା ପରେ ଫେରାର ମାରିଥିଲେ ଅଭିଯୁକ୍ତ, ପୁଣି ଦିନ ଦ୍ୱିପହରରେ ସାପ୍ତାହିକ ବଜାର ଭଳି ଜନଗହଳି ସ୍ଥାନରୁ ବାଇକ ଚୋରି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା କ୍ରମେ ସୀତାରାମ ବେହେରା ଜଣେ ଚା ଦୋକାନୀ ସାପ୍ତାହିକ ବଜାର ଦିନ ଭିଡ଼ କାରଣରୁ ତାଙ୍କ ବାଇକ ଗ୍ଲାମର ଓଡିଓ ୩ଏଫ ୨୮୭୮କୁ ଏନଏସି କଂପ୍ଲେକ୍ସରେ ରହିଥିବା ଗୋଟିଏ ମୋବାଇଲ ଦୋକାନ ସାମ୍ନାରେ ରଖିଥିଲେ । କିନ୍ତୁ ଘରକୁ ଫେରିବା ସମୟ ପ୍ରାୟ ୨ଟାରେ ସେହି ସ୍ଥାନରେ ବାଇକ ନ ଦେଖି ଖୋଜାଖୋଜା ଆରମ୍ଭ କରିଥିଲେ । ବାଇକ ନ ପାଇଁ ସନ୍ଧ୍ୟା ୫ଟା ରେ ସ୍ଥାନୀୟ ଥାନାରେ ଚୋରି ସଂପର୍କିତ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୁଲିସ ଧାରା ୩୭୯ଏଫ ଆଇ ଆର ସଂଖ୍ୟା୦୧୧୬ରେ ଏକ ମାମଲା ରୁଜୁ କରିଛନ୍ତି । ଦିନଦ୍ୱିପହରରେ ଏଭଳି ଚୋରି ଘଟୁଥିବାରୁ ଚୋରମାନେ ପୁଲିସ ବିଭାଗକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Comments (0)
Add Comment