ଅପ୍ରେଲ ୧୦ରୁ ଆରମ୍ଭ ହେବ ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା

ଦଶପଲ୍ଲା : ମହାମାରୀ କରୋନାକୁ ନେଇ ସାରାଦେଶରେ ଦୁଇ ବର୍ଷ ହେଲା ବିଭିନ୍ନ ପରମ୍ପରା ବା ଯାତ୍ରା ମହୋତ୍ସବ ବନ୍ଦ ହୋଇରହିଛି । ଚଳିତବର୍ଷ ଏଥିରେ ଆଶ୍ୱସ୍ତି ଆସିବା ପରେ ବିଭିନ୍ନ ପର୍ବପର୍ବାଣୀ ସହ ଯାତ୍ରା ମହୋତ୍ସବ ଉପରୁ ସରକାର ପ୍ରତିବନ୍ଧକ ହଟାଇଛନ୍ତି । ଫଳରେ ପୁଣି ଥରେ ରାଜ୍ୟର ବିଭିନ୍ନ ଐତିହ୍ୟ ଓ ପରମ୍ପରା ଉଜ୍ଜୀବିତ ହେବାକୁ ଯାଉଥିବା ବେଳେ ଚଳିତବର୍ଷ ଦଶପଲ୍ଲାର ଐତିହ୍ୟ ଲଙ୍କାପୋଡ଼ି ଯାତ୍ରା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଲଙ୍କାପୋଡ଼ି ଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାବୀର କ୍ଷେତ୍ରର ଏହି ଐତିହ୍ୟସମ୍ପନ୍ନ ପ୍ରାଚୀନ ଲୋକନାଟକ ୧୮୦୨ ମସିହାରୁ ପ୍ରଚଳିତ ହୋଇ ଆସୁଥିବା ବେଳେ ଦୀର୍ଘ ୨୨୦ ବର୍ଷ ଧରି ବିକ୍ରମ ନରେନ୍ଦ୍ରଙ୍କ ରଚିତ ଶ୍ରୀରାମଲୀଳା ଏଠାରେ ଅନୁଷ୍ଠିତ ହୋଇଆସୁଛି । ଆସନ୍ତା ୧୦ ତାରିଖ ଶ୍ରୀରାମ ଜନ୍ମ ଉତ୍ସବଠାରୁ ୧୧ ଦିନ ଧରି ରାମାୟଣର ବିଭିନ୍ନ ପ୍ରସଙ୍ଗ ଅନୁଷ୍ଠିତ ହେବ । ଯେଉଁଥିରେ ୧୦ ତାରିଖରେ ଶ୍ରୀରାମ ଜନ୍ମ , ୧୧ରେ ଜାଗରକ୍ଷା, ତାଡ଼କାବଧ , ଶିବଧନୁଭଗ୍ନ, ବିବାହ, ପର୍ଶୁରାମ ଗର୍ବଗଞ୍ଜନ , ୧୨ରେ ଗଣ୍ଡାବଧ , ୧୩ରେ ଶ୍ରୀରାମ ବନବାସ ଓ ଭରତମିଳନ, ୧୫ରେ ବିରାୟୁଧ ବଧ , ଶ୍ରୀକ୍ଷେତ୍ର ଦର୍ଶନ ଓ ସୀତାହରଣ , ୧୬ରେ ଶ୍ରୀରାମ ବିଳାପ, ଶବରୀ ମୋକ୍ଷ , ବାଳିବଧ ଓ ସୁଗ୍ରୀବ ଅଭିଷେକ, ୧୭ରେ ସୀତାଠାବ ଓ ରାବଣ ଛତ୍ରଛେଦନ ( ୧ମ ଗଡବେଢ ) , ୧୮ରେ କୁମ୍ଭକର୍ଣ୍ଣ ବଧ ଓ ନାଗଫାଶ ( ୨ୟ ଗଡବେଢ ) , ୧୯ରେ ମୁଖ୍ୟ ଉତ୍ସବ ରାବଣ ବଧ ବା ଲଙ୍କାପୋଡ଼ି ଯାତ୍ରା ଏବଂ ୨୦ରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ପ୍ରସଙ୍ଗ ଅନୁଷ୍ଠିତ ହେବ । ସେହିଭଳି ପ୍ରତ୍ୟହ ସଂଧ୍ୟାରେ ମୁଖ୍ୟ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀରାମ ଜନ୍ମଠାରୁ ଲଙ୍କାପୋଡ଼ି ପର୍ଯ୍ୟନ୍ତ ପ୍ରାୟ ୧୫୦ ଜଣ କଳାକାର ବ୍ରତଧାରଣ କରି ନିଷ୍ଠାର ସହ ବିଭିନ୍ନ ପ୍ରସଙ୍ଗରେ ଅଭିନୟ କରିଥାନ୍ତି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ୩୫ ଫୁଟ ଉଚ୍ଚର ଚଳନକ୍ଷମ କାଷ୍ଠ ନିର୍ମିତ ରାବଣ , ଘୂର୍ଣ୍ଣାୟମାନ ପୁଷ୍ପକ ବିମାନ, କାଷ୍ଠମୁଖା ଏବଂ ୪୦ ବଖରାର ବିଶାଳ ଛାମୁଣିଆ ସହ ସ୍ୱତନ୍ତ୍ର ଶୈଳୀର ବ୍ରହ୍ମାସ୍ତ୍ର ଦର୍ଶକଙ୍କୁ ବିମୋହିତ କରିଥାଏ । ଏଥି ସହିତ କୁଆଁରିଆ ମହୋତ୍ସବ ସହ ମାଗଣା ଅପେରା, ମୀନାବଜାର ପ୍ରଭୃତିକୁ ଦର୍ଶକ ଉପଭୋଗ କରିଥାନ୍ତି ।

Comments (0)
Add Comment