ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ସହାୟତା ରାଶି

ବାଲିଗୁଡ଼ା: ଜନମଙ୍ଗଳ ପାଇଁ ନବୀନ ଓଡ଼ିଶା ସଂକଳ୍ପ ବଦ୍ଧ । ଆଜି ରାଜ୍ୟର ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସୁରକ୍ଷା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଉପଜିଲ୍ଲାପାଳ ଡା. ରୀନା ପ୍ରଧାନ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି , ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ଏହା ସହାୟକ ହେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ତିନି ହଜାର ତିନିଶହ ଚାରିଜଣ (୩୩୦୪) ହିତାଧିକାରୀ ଏବଂ ବାଲିଗୁଡା ବ୍ଲକର ଚଉଦ ହଜାର ସାତ ଶହ ଚବିଶି(୧୪୭୨୪) ଜଣ ହିତାଧିକାରୀ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ । ଅନ୍ୟପଟେ ଏହି ସହାୟତା ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ହିତାଧିକାରୀ ।

Comments (0)
Add Comment