ଭୁବନେଶ୍ବର- ଓଡ଼ିଶାରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଏହି ୬ଟି ଜିଲ୍ଲାରେ ବନ୍ୟାର ପ୍ରଭାବ ଜାରି ରହିଛି। ଏସ୍ଆରସିଙ୍କ ରିପୋର୍ଟ ଅନୁସାରେ, ୬୬ଟି ବ୍ଲକ, ୪୪୮ଟି ପଞ୍ଚାୟତ, ୧୩୦୪ଟି ଗାଁ ଏବଂ ୧୦ଟି ସହରାଞ୍ଚଳର ୬୪ଟି ୱାର୍ଡରୁ ମୋଟ ୭,୮୫,୧୯୯ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।
ବନ୍ୟା ବିପନ୍ନଙ୍କ ମଧ୍ୟରୁ ୨,୭୭,୬୫୫ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୪୨,୨୧୬.୭ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ବନ୍ୟାରେ ୯୪୧ଟି ଘର ଭାଙ୍ଗିଥିବା ବେଳେ ୫୩୧ଟି ରିଲିଫ୍ କ୍ୟାମ୍ପରେ ୨,୭୮,୧୮୮ ଜଣଙ୍କୁ ରନ୍ଧା ଖାଦ୍ୟ, ଚୁଡ଼ା ଓ ଗୁଡ଼ ଯୋଗାଇ ଦିଆଯାଉଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିବା ପାଇଁ ୩୯ଟି ଓଡ୍ରାଫ୍, ୭ଟି ଏନ୍ଡିଆର୍ଏଫ୍ ଏବଂ ୫୩ଟି ଅଗ୍ନିଶମ ସେବା ବାହିନୀ ନିୟୋଜିତ ହୋଇଛନ୍ତି।
ବନ୍ୟାରେ ବାଲେଶ୍ୱରରେ ସର୍ବାଧିକ ପ୍ରଭାବିତ ଜିଲା ମଧ୍ୟରେ ରହିଛି। ୧୨ଟି ବ୍ଲକର ୯୭ଟି ପଞ୍ଚାୟତ ଓ ୪୫୩ଟି ଗାଁ ସମେତ ୨ଟି ସହରାଞ୍ଚଳର ୧୯ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୨,୦୩,୮୭୮ ଜଣ ପ୍ରଭାବିତ ହୋଇଥିବା ବେଳେ ୬୦ଟି ଗାଁ ଏବେ ବି ପାଣିଘେରରେ ରହିଛି। ପ୍ରାୟ ୧୬ ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି।
ଯାଜପୁରର ୧୦ଟି ବ୍ଲକର ୧୧୭ଟି ପଞ୍ଚାୟତ ଓ ୨୭୦ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ଜିଲାରୁ ୨,୦୨,୬୭୨ ଜଣ ପ୍ରଭାବିତ ହୋଇଛନ୍ତି। ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ଯୋଗୁଁ କାଣୀ, ଖରସ୍ରୋତା ଓ ଭାର୍ଗବୀ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ୮ଟି ଗାଁ ଏବେ ବି ପାଣିଘେରରେ ରହିଛି।
ଭଦ୍ରକରେ ୧,୯୬,୨୪୦ ଜଣ, କେନ୍ଦ୍ରାପଡ଼ାରେ ୧,୪୩,୭୧୫ ଜଣ, ମୟୂରଭଞ୍ଜରେ ୨୬,୭୪୧ ଜଣ ଏବଂ କେନ୍ଦୁଝରରେ ୧୧,୯୫୩ ଜଣ ବନ୍ୟା ପ୍ରଭାବିତ ହୋଇଛନ୍ତି। କେନ୍ଦୁଝରର ୧୪ଟି ଗାଁ ଏବେ ବି ପାଣିଘେରରେ ଥିବା ବେଳେ ମୟୂରଭଞ୍ଜରେ ୫୦୫ଟି ଘର ଏବଂ କେନ୍ଦୁଝରରେ ୩୬୭ଟି ଘର ଭାଙ୍ଗିଥିବା ରିପୋର୍ଟ ମିଳିଛି। ସମଗ୍ର ବନ୍ୟା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଥିବା ବେଳେ ଉଦ୍ଧାର, ରିଲିଫ୍ ଓ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି।