ମହାନଦୀ ଆଳତି ଘାଟ ପରିଦର୍ଶନ ଓ ସମୀକ୍ଷା କଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ

ବୌଦ୍ଧ : ଚନ୍ଦ୍ରଚୁଡ ମନ୍ଦିର ମହାନଦୀ କୂଳରେ ଆଳତି ଘାଟ ପରିଦର୍ଶନ କରି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପରିସରରେ ମହାନଦୀ ଆଳତି ଏବଂ ସକାଳେ ଯୋଗାଭ୍ୟାସ ହେଉଥିବାରୁ ପ୍ରଶଂସା କରିଥିଲେ । ଆଳତି ଘାଟ ଅସମ୍ପୂର୍ଣ୍ଣ ହୋଇଥିବାରୁ ଗାଧୁଆ ଘାଟରୁ ଠାକୁରଙ୍କ ପାଇଁ ଜଳଲାଗି ହେଉଥିବାରୁ ଦୁଃଖ ପ୍ରକାଶ କରିଥିଲେ । ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଜଳସେଚନ, ପୂର୍ତ୍ତ ଓ ବିଜ୍ଞାପିତ ଅଂଚଳ ପରିଷଦର ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ । ହରିଦ୍ୱାର, ବନାରସ ଓ ଋଷିକେଶରେ ହେଉଥିବା ଆଳତି ପରିସରକୁ ଅନୁସରଣ କରି ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ମହାନଦୀ ସେତୁ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ ସହିତ ବୌଦ୍ଧ ସହରର ସୁରକ୍ଷା ପାଇଁ ରିଂ ରୋଡ ନିର୍ମାଣ ପାଇଁ ଯୋଜନା ସହିତ ବିଭନ୍ନ ସ୍ଥାନରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରକଳ୍ପ ପ୍ରସ୍ତୁତ ହେବାକୁ ଦୃଷ୍ଟିଦେବା ପାଇଁ ପରାମର୍ଶ ଦେଉଥିଲେ । ଆସନ୍ତା ଏକମାସ ଭିତରେ ପର୍ଯ୍ୟଟନ ବିଭାଗକୁ ସାମିଲ କରି ମିଳିତ ଭାବେ ଏକ ବୃହତ୍‌ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗ ଅଧିକାରୀ ଏ.କେ. ସିଂ, ଜଳସେଚନ ଯନ୍ତ୍ରୀ ସୁବ୍ରତ ମଲ୍ଲିକ, ବ୍ରାହ୍ମଣ ସମାଜର ସଭାପତି ଗୁରୁ ପ୍ରସାଦ ଦାଶ, ସମ୍ପାଦକ ଦେବାଶିଷ ପୁରୋହିତ ଆଳତି ଘାଟର ସଦସ୍ୟ ମିନୁପ୍ରସାଦ ମିଶ୍ର, ସୂର୍ଯ୍ୟେନ୍ଦ୍ର ଶତପଥି, ତୃପ୍ତି ରଞ୍ଜନ ଦାନୀ, ସୂର୍ଯ୍ୟ ନାରାୟଣ ପଣ୍ଡା ଓ ଯୋଗ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଶେଷରେ ପ୍ରକଳ୍ପର ଚୂଡାନ୍ତ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ ସହିତ ଆଲେଚନା କରି ସରକାରଙ୍କ ନିକଟକୁ ପଠାଇବାକୁ ସାଂସଦ ପାଣିଗ୍ରାହୀ ପ୍ରକାଶ କରିଥିଲେ ।

Comments (0)
Add Comment