ପାଇଖାନାରେ ବୃଦ୍ଧ ଦମ୍ପତିଙ୍କ କଟୁଛି ଦିନ

ନୂଆପଡ଼ା : କେହି ଭଙ୍ଗା ଘରେ ରହିବେ ନାହିଁ, ଘର ଅଭାବରେ କାହାରିକୁ ଖୋଲା ଆକାଶ ତଳେ ରହିବାକୁ ଦିଆ ଯିବନି । ଏମିତି କେତେ କେତେ ଘୋଷଣା କରୁଛନ୍ତି ସରକାର । ଆବାସ ଯୋଜନାରେ ସମସ୍ତଙ୍କୁ ଗୃହ ଯୋଗାଇ ଦିଆଯାଉଥିବା କୁହାଯାଉଛି, କିନ୍ତୁ ବାସ୍ତବ ଚିତ୍ର ଯେ ସମ୍ପୂର୍ଣ୍ଣ ଓଲଟା ଏହା ସମସ୍ତେ ଜାଣନ୍ତି ।
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବର ଗାଁ ଗ୍ରାମ ପଂଚାୟତର କୋମାଯୋରୀ ଗ୍ରାମ । ଏହି ଗ୍ରାମର ହରି ଗଉଡ଼, ଜଣେ ଦିବ୍ୟାଙ୍ଗ ବୃଦ୍ଧ ବ୍ୟକ୍ତି, ତାଙ୍କ ପତ୍ନୀ ଜଣେ ରୋଗୀଣା ମହିଳା, ତାଙ୍କ ଦେହ ସାରା ଫୋଟକା । ଏହି ଦମ୍ପତିଙ୍କ ଦୁଃଖ କହିଲେ ନସରେ । ଘର ନଥିବାରୁ ଏକ ପାଇଖାନାରେ ରହୁଛନ୍ତି ଦୁହେଁ । ଅବଶ୍ୟ ପାଇଖାନାକୁ ଲାଗି ଏକ ଛୋଟ କୁଡ଼ିଆ କରିଛନ୍ତି, ତାହା ମଧ୍ୟ ଏତେ ଛୋଟ ଯେ ଠିକ ଭାବରେ ଦୁହେଁ ବସି ପାରନ୍ତି ନାହିଁ । ସେଇଠି ରାନ୍ଧିବା, ସେଇଠି ଖାଇବା । ଘରର ଯାବତୀୟ ଜିନିଷ ସେହି କୋଠରୀରେ । କେବେ କେବେ ବର୍ଷା ହେଲେ ଜଣେ ସେଇ କୋଠରୀରେ ଓ ଜଣେ ପାଇଖାନା ଭିତରେ ଶୁଅନ୍ତି, ନହେଲେ କାହା କାହା ଘର ଯାଇ ଶୁଅନ୍ତି । ତାଙ୍କର ଏକମାତ୍ର ପୁଅ ପରିବାର ନେଇ ଦାଦନ ଖଟିବାକୁ ଯାଇଛି ।
ଏହି ଦମ୍ପତିଙ୍କ ଏକମାତ୍ର ଜୀବନ ପୋଷିବାର ସ୍ରୋତ ହେଲା ବୃଦ୍ଧ ହରି ପାଉଥିବା ପାଞ୍ଚ ଶହ ଟଙ୍କା ଓ ଦୁଇ ଜଣଙ୍କୁ ମିଳୁଥିବା ଦଶ କିଲୋଗ୍ରାମ ଚାଉଳ । ବୃଦ୍ଧା ଉରଲେଙ୍କ ବୟସ ସତୁରି ବର୍ଷ ହେବ କିନ୍ତୁ ଆଧାର ଓ ଭୋଟ କାର୍ଡ ରେ କମ ବୟସ ଥିବା ହେତୁ ଭତ୍ତା ପାଉ ନାହାନ୍ତି । ତାଙ୍କ ଦେହ ସାରା ଫୋଟକା ଥିବା ହେତୁ ସବୁବେଳେ କଷ୍ଟ ପାଆନ୍ତି ହେଲେ ଅର୍ଥାଭାବରୁ ଚିକିତ୍ସା ହୋଇ ପାରୁ ନାହାନ୍ତି । ବୃଦ୍ଧ ଦମ୍ପତି ଅନେକ ସମୟରେ ଭୋକରେ ରହନ୍ତି ଓ ଭିକ ମଧ୍ୟ ମାଗିବାକୁ ପଡେ ବୋଲି କହନ୍ତି । ତାଙ୍କୁ ଘର ଖଣ୍ଡେ ଓ ଉରଲେଙ୍କୁ ଭତ୍ତା ପ୍ରଦାନ ପାଇଁ ଆକୁଳ ନିବେଦନ କରିଛନ୍ତି । ଏନେଇ ଖଡ଼ିଆଳ ବିଡ଼ିଓ ବୀରସେନ ବେହେରାଙ୍କୁ ପଚାରିବାରୁ ଭତ୍ତା ପାଇଁ ସରପଞ୍ଚମାନଙ୍କୁ କୁହାଯାଇଛି ଓ ପୋର୍ଟାଲ ଖୋଲିଲେ ତାଙ୍କ ଘର ପାଇଁ ଆବେଦନ କରାଯିବ ବୋଲି କହିଥିଲେ ।

Comments (0)
Add Comment