ପୁରୀ : ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା । ତେବେ ଏହାକୁ କିଭଳି ସୁରୁଖୁରରେ ଆୟୋଜନ କରିହେବ ସେଥି ପାଇଁ ଆସନ୍ତା ୧୩ ତାରିଖରେ ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ଏହି ବୈଠକର ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଫିସର୍, ସେବାୟତମାନେ ଉପସ୍ଥିତ ରହିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପୁର୍ବରୁ ପୁରୀ ଜିଲ୍ଲାପାଳ ନିଜେ ସେବାୟତଙ୍କ ବୈଠକ କରିଥିବା ବିଭିନ୍ନ ସମସ୍ୟା ବୁଝିବା ସହ କିଭଳି ଅତି ଶୀଘ୍ର ସବୁକିଛି ସମାଧାନ ହୋଇ ପାରିବ ସେ ନେଇ ଆଲୋଚନା କରିଛନ୍ତି । ବିଶେଷ କରି ରଥଯାତ୍ରା ଦିନ କିଭଳି ସଠିକ୍ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ ସେ ନେଇ ଆଲୋଚନା କରିଛନ୍ତି । ସେହିପରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତା କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ଏଥି ସହିତ ନୂତନ ଭାବେ ହୋଇଥିବା ଶୌଚାଳୟ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ରଥ ଯାତ୍ରାରେ ଭକ୍ତ ମାନଙ୍କ କାମରେ ଲାଗିବ ସେ ଦିଗରେ ପ୍ରଶାସନ ଅଧିକ ତତ୍ପର ଥିବା ପୁରୀ ଜିଲାପାଳ ସୂଚନା ଦେଇଛନ୍ତି । ଗୁଣ୍ଡିଚା ମନ୍ଦିରର ମହାପ୍ରଭୁ ପହଣ୍ଡି ବିଜେ ରାସ୍ତାକୁ ନୂତନ ଭାବେ ନିର୍ମାଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଆଉ ୨ ଦିନ ଭିତରେ ଶେଷ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁରୀ ସହରରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟକୁ ନେଇ ଜିଲ୍ଲାପାଳ କହିଛନ୍ତି ଏହି ସମସ୍ୟା ସମାଧାନ ପାଇଁ ସେ ଟାଟା ପାୱାର ସହିତ କଥା କହିଚନ୍ତି । ବିଭିନ୍ନ ସମସ୍ୟାକୁ ଖୁବଶୀଘ୍ର ସମାଧାନ କରି ରଥଯାତ୍ରା ପୂର୍ବରୁ ବିଦ୍ୟୁତ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଆସନ୍ତାକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରଥ ଯାତ୍ରା ବଜେଟ, ରଥ ଯାତ୍ରାର ନୀତି କାନ୍ତିକୁ ଅନୁମୋଦନ କରାଯିବ । ଆସନ୍ତା ୧୩ ତାରିଖରେ ଶେଷ ତଥା ତୃତୀୟ ରଥ ଯାତ୍ରା ସମନ୍ୱୟ କମିଟି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ।