କୁମ୍ବିଂ ଅପରେସନ ବେଳେ ଦେଶୀ ବନ୍ଧୁକ ସହ ୧୧ ଜଣ ଅଟକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍‌ ଅନ୍ତର୍ଗତ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ ସିଆରପିଏଫ୍‌ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବାବେଳେ ସନ୍ଦେହଜନକ ଭାବେ ୧୧ଜଣଙ୍କୁ ସିଆରପିଏଫ୍‌ ଯବାନ କାବୁ କରିଥିବା ଜଣାପଡ଼ିଛି । ସେମାନଙ୍କ ନିକଟରୁ ୪ଟି ଦେଶୀବନ୍ଧୁକ,୩ଟି ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଟର୍ଚ୍ଚ ଲାଇଟ, ଥାଳି,୨ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ପୂର୍ବାହ୍ନ ପ୍ରାୟ ୮ଟା ସମୟରେ କୋଟଗଡ଼ଠାରେ ନିୟୋଜିତ ସିଆରପିଏଫ୍‌ ଯବାନ୍‌ ନିଜର ଦୈନିକ ରୁଟିନ୍‌ ଅନୁଯାଇ ମାଦାଗୁଡା ପଞ୍ଚାୟତର ଝରିଘାଟି ଗାଁ ନିକଟସ୍ଥ ବୁଢ଼ା ପାହାଡ଼ରେ କୁମ୍ବିଙ୍ଗ କରିବାବେଳେ ଦେଶୀ ବନ୍ଧୁକ ଧାରୀ କିଛି ଲୋକ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଫଳରେ ସିଆରପିଏଫ୍‌ ପକ୍ଷରୁ ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ବହୁ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସେହି ଲୋକମାନେ କିଏ ଏବଂ କେଉଁ ପରିସ୍ଥିତିରେ ବନ୍ଧୁକ ଧରି ଘଞ୍ଚ ଜଙ୍ଗଲରେ ଥିଲେ ଏବଂ ମାଓ ସଙ୍ଗଠନ ସହ ସେମାନଙ୍କର କିଛି ଲିଙ୍କ୍‌ ରହିଛି କି ସେନେଇ ସିଆରପିଏଫ୍‌ ପକ୍ଷରୁ ଖୋଳତାଡ଼ ଜାରି ରହିଥିବା ଜଣାପଡ଼ିଛି ।

Comments (0)
Add Comment