ଗଞ୍ଜାମ: ଭାସ୍କର ପନ୍ଦର ବର୍ଷ ତଳେ ମମତାଙ୍କୁ ବିବାହ କରି ଗରିବ ପରିବାର ହେଲେ ବି ବେଶ ହସ ଖୁସି ରେ ଦିନ କାଟୁଥିଲେ । ଦିନ ମଜୁରିଆ କାମ କରି ପାରିଶ୍ରମିକ ଅର୍ଥରେ ଚଳିଥାନ୍ତି । ଏପରିକି ବିବାହ ପରେ ଗୋଟିଏ ଝିଅ ଓ ଗୋଟିଏ ପୁଅ ପାଇ ଆନନ୍ଦରେ ଗଡି ଚାଲିଥାଏ ଭାସ୍କରଙ୍କ ସଂସାର ରଥ । ହଠାତ ଦିନେ ଏହି ସୁଖ ସଂସାରରେ ମାଡି ଆସିଲା ଅଦିନିଆ ଝଡ଼, ବହିଗଲା ନିରାଶାର ଦୀର୍ଘ ନିଶ୍ୱାସ । ନିରୁପାୟ ମମତା ଖୋଜିବୁଲୁଛନ୍ତି ଉପାୟ, କିଏ ଦେବ ସାହାରା । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡା ପଞ୍ଚାୟତର ପିହାଣୀଆ ଗ୍ରାମର ଭାସ୍କର ବେହେରା ବୟସ ୩୮ ବର୍ଷ ସ୍ତ୍ରୀ ମମତା, ଝିଅ କାଜଲ ଓ ପୁଅ ବିଶାଳକୁ ନେଇ ତାଙ୍କ ପରିବାର । ଚାରିମାସ ତଳେ ଭାସ୍କରଙ୍କ ଦେହ ଖରାପ ହେବାରୁ ସେ ମେଡିକାଲ ଯାଇଥିଲେ । ସେଠାରେ ଡାକ୍ତର ଭାସ୍କରଙ୍କ ଦୁଇଟି କିଡନୀ ଖରାପ ହୋଇଥିବା କହିଥଲେ । ଏହା ଶୁଣିବା ପରେ ମମତାଙ୍କ ପାଦ ତଳୁ ମାଟି ଖସି ପଡିଲା । ତାଙ୍କୁ ଦେଖାଗଲା ଚତୁର୍ଦିିଗ ଅନ୍ଧକାର । ଉଭୟେ ସ୍ୱାମୀ ସ୍ତ୍ରୀ ନିରାଶାର ଚାହାଣିରେ ପରସ୍ୱରକୁ ଚାହିଁ ଲୋତକ ଗଡାଇଲେ । ସତରେ କିଏ ଦେବ କିଡନୀ, ନା ଅଛି ସମ୍ବଳ ନା ଅଛି ସାହାରା । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ବର୍ତ୍ତମାନ ନିଜ ଘରେ ବସି ଅସହାୟ ଭାସ୍କର ଓ ନିରୁପାୟ ମମତା ଖୋଜି ବୁଲୁଛନ୍ତି ଉପାୟ । ନିବେଦନ କରିଛନ୍ତି ସରକାରଙ୍କୁ ଟିକିଏ ସହାୟତା ପାଇଁ । ରେଡକ୍ରସରୁ ଦଶ ହଜାର ସହାୟତା ପାଇ ଥିବା ବେଳେ ବିଧାୟିକା ଲତିକା ପ୍ରଧାନ ମଧ୍ୟ ଆର୍ଥକ ସହାୟତା ଦେଇଥିବା ବେଳେ ଏବେବି ନିରାଶାରେ ଦିନ ଗଣୁଛନ୍ତି ପରିବାର । ଏକ ପକ୍ଷରେ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଚିନ୍ତା ଅନ୍ୟ ପକ୍ଷରେ ଛୋଟ ଛୋଟ ଦୁଇଟା ପିଲାଙ୍କ ଭବିଷ୍ୟତ ଚିନ୍ତାରେ ଘାରି ହେଉଛନ୍ତି ମମତା । ଭାସ୍କରଙ୍କ ପରିବାର ସମେତ ସାହିବାସିନ୍ଦା ମଧ୍ୟ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି । ଦେଖାଯାଉ କିଏ ବଢ଼ାଉଛି ଭାସ୍କରଙ୍କୁ ସହାୟତାର ହାତ ।