ମହିଳା ରୋଷେୟାଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ମାରିଦେବାକୁ ଦେଉଛନ୍ତି ଧମକ

ଦଶପଲ୍ଲା: ଖାଦ୍ୟରେ ବିଷଦେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି ମହିଳା ରୋଷେୟା ! ଏଭଳି ଏକ ସଂଗୀନ୍‌ ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ଥାନା ଆଦିବାସୀ ଅଧ୍ୟୁଷିତ ଦୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନେଡି ଗ୍ରାମର ଅଭିଭାବକମାନେ । ପ୍ରାପ୍ତ ସୂଚନା ଅନୁସାରେ ଦୁଡା ଓ କନେଡି ଗ୍ରାମ ମଧ୍ୟରେ କେନ୍ଦୁପତ୍ର ଫଡି ବିବାଦକୁ ନେଇ ବହୁଦିନ ଧରି ବିବାଦ ଚାଲିଥିଲାବେଳେ କନେଡି ଗ୍ରାମର ଛାତ୍ରଛାତ୍ରୀମାନେ ଦୁଡା ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି । ଗ୍ରାମ ବିବାଦକୁ କେନ୍ଦ୍ରକରି ଦୁଡା ବିଦ୍ୟାଳୟର ମହିଳା ରୋଷେୟା ଭଗବତୀ ଜାନୀ କନେଡି ଗ୍ରାମର ଛାତ୍ରଛାତ୍ରୀ ମାନଙ୍କୁ ଖାଦ୍ୟରେ ବିଷଦେଇ ମାରିଦେବାକୁ ଧମକ୍‌ ଦେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ ।

ଫଳରେ କନେଡି ଗ୍ରାମର ପ୍ରାୟ ୨୭ ଜଣ ଛାତ୍ରଛାତ୍ରୀ ଭୟରେ ୧୩ ଦିନ ହେଲା ବିଦ୍ୟାଳୟକୁ ଯାଉନାହାନ୍ତି । ମହିଳା ରୋଷେୟା ଜଣକ ବାରମ୍ବାର ଏଭଳି ଧମକ୍‌ ଦେବା ଫଳରେ ଛାତ୍ରଛାତ୍ରୀ ପିତାମାତା ଓ ଅଭିଭାବକ ମାନେ ବିଦ୍ୟାଳୟ ପରିଚାଳନା କମିଟିକୁ ଏ ବିଷୟରେ ଅବଗତ କରାଇଛନ୍ତି । ଏ ବିଷୟରେ ମହିଳା ରୋଷେୟାଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ଏହି ସମସ୍ୟାର ସୁ – ସମାଧାନ ନ କରନ୍ତି ତେବେ ପିତାମାତା ଓ ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି । ଏଭଳି ବାରମ୍ବାର ମୃତ୍ୟୁ ଧମକ୍‌ ଦେଉଥିବା ମହିଳା ରୋଷେୟାଙ୍କୁ ଶିଘ୍ରାତିଶିଘ୍ର କାର୍ଯ୍ୟରୁ ଅନ୍ତର କରିବା ପାଇଁ କନେଡି ଗ୍ରାମବାସୀ ଓ ଅଭିଭାବକ ମାନେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ , ବିଡିଓ , ମଣ୍ଡଳ ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Comments (0)
Add Comment