ବାଲିଗୁଡ଼ା: ଲଘୁଚାପ ଜନିତ ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ । ଲଗାଣ ବର୍ଷାରେ ଉବୁଟୁବୁ ବାଲିଗୁଡ଼ା ସହର । କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ରାସ୍ତାରେ ଥିବା ଦୁଇ ପାର୍ଶ୍ୱରେ ଥିବା ପୋଖରୀ ଜଳମଗ୍ନ ହୋଇ ସହର ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଉପରେ ୨ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବା କାରଣରୁ ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ହେଇଯାଇଛି । ବସଷ୍ଟାଣ୍ଡ୍ ସମ୍ମୁଖରେ ଥିବା ଏକ ଘରେ ବର୍ଷା ପାଣି ପଶି ଘରେ ଥିବା ଆସବାବପତ୍ର ସବୁ ନଷ୍ଟ ହେଇଯାଇଥିବା ଜଣାପଡ଼ିଛି ।
୫୯ ନଂ ଜାତୀୟ ରାଜପଥ ଉପରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଏକ ପିକିଅପ ଭ୍ୟାନ୍ ପାଣିରେ ଫସି ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଦୁଇ ନଂ ୱାର୍ଡର ଖଜୁରୀନାଳ ଉପରେ ତିନିଫୁଟରୁ ଉର୍ଦ୍ଧ୍ୱ ଉଚ୍ଚତାରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ବାଲିଗୁଡ଼ା -ବଡ଼ଗାଁ-ସିନ୍ଦ୍ରିଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ସହରରେ ବିଭିନ୍ନ ୱାର୍ଡରେ ବର୍ଷା ଜଳ ରାସ୍ତା ଉପରେ ଲହଡ଼ି ଭାଙ୍ଗିବା ସହ ଅନେକଙ୍କ ଘରେ ପଶିଲାଣି ବର୍ଷା ଜଳ । ସହରର ମୁଖ୍ୟ ରାସ୍ତା ୫୯ନଂ ଜାତୀୟ ରାଜପଥର ଦୁଇପାର୍ଶ୍ୱରେ ଅଟକି ରହିଛି ଅନେକ ଯାନବାହାନ । ଆଜି ଭୋର ସମୟରୁ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେବା ଠାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହେଇଯାଇଥିବା ଦେଖିବାକୁ ମିଳିଛି ।