ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଆସି ରାସ୍ତା କ୍ଷତିଗ୍ରସ୍ତ ହେବାର ଦେଖିବାକୁ ମିଳିଛି । ଜିଲ୍ଲାର ଦାରିଙ୍ଗବାଡ଼ି ନିକଟସ୍ଥ ଗାଜରବାଡ଼ି ଘାଟିର ତିନି ନମ୍ବର ବୁଲାଣି ରାସ୍ତାରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଗତ ଦୁଇଦିନର ଲଗାଣ ବର୍ଷା ଯୋଗୁଁ ଗାଜରବାଡ଼ି ଘାଟିରେ ପାହଡ଼ରୁ ପଥର ଓ ମାଟି ଅତଡ଼ା ଖସିବା ଦ୍ୱାରା ରାସ୍ତା ଅବରୋଧ ହୋଇଛି । ରାସ୍ତା ଉପରେ ପାହାଡିଆ ପାଣି ଅହରହ ଚାଲୁଥିବା ଯୋଗୁଁ ରାସ୍ତା ପାର୍ଶ୍ୱର ମାଟି ଅତଡ଼ା ଖସି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଜଣାପଡ଼ିଛି । ଭୂସ୍ଖଳନ ଯୋଗୁଁ ବର୍ତ୍ତମାନ ଦାରିଙ୍ଗବାଡି-ସୋରଡ଼ା ମଧ୍ୟରେ ଯାତାୟତ ଠପ୍ ହୋଇପଡ଼ିଛି । ଏଥିସହିତ ଦାରିଙ୍ଗବାଡ଼ି ଠାରୁ ବ୍ରହ୍ମପୁର ଓ ଭୁବେନଶ୍ୱର ଅଞ୍ଚଳକୁ ଯାତ୍ରୀବାହୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଦାରିଙ୍ଗବାଡ଼ି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ସ୍ଥାନରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ସଜାଗ ରହିଛି । ବର୍ତ୍ତମାନ ସମୟରେ କେବଳ ଦୁଇ ଚକିଆ ଯାନ ଯିବା ପାଇଁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି ।