ହରଭଙ୍ଗା: ମହାନଦୀ ବନ୍ୟ ପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଦିନକୁ ଦିନ ଶିକାରୀଙ୍କ ବଢ଼ୁଛି ଦ୍ରୌରାତ୍ମ୍ୟ । ଏପଟେ ଟେର ପାଉ ନାହିଁ ବନ ବିଭାଗ । ଫଳରେ ଅସୁରକ୍ଷିତ ବନ୍ୟପ୍ରାଣୀ । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ କୁସଙ୍ଗ ରେଞ୍ଜ ସିମିଗୁଡା ବିଟ ଅଭୟାରଣ୍ୟ ଭିତରେ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏହି କ୍ୟାମେରାଗୁଡିକୁ କେତେକ ଦୁର୍ବୃତ୍ତ ଭାଙ୍ଗି ଦେଇ ଗାଏବ କରିଥିବା ଖବର ସାମ୍ନାକୁ ଜଣାପଡିଛି । ଏହିଭଳି ଘଟଣା ସାମ୍ନାକୁ ଆସିବା ପରେ ନିୟୋଜିତ ବନ କର୍ମଚାରୀ ଓ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡି ଦେଇଥିବା ଜଣାପଡିଛି । ଘଟଣାକୁ ନେଇ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଡିଏଫଓ ଫାଲଗୁନୀ ସାରଥୀ ମଲ୍ଲିକଙ୍କୁ ପଚାରିବାରୁ ସିସି କ୍ୟାମେରା ଭାଙ୍ଗିବା ଘଟଣାକୁ ନେଇ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡି ଦିଆଯାଇଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଅଭୟାରଣ୍ୟ ଭିତରେ ଥିବା ନିୟୋଜିତ ଗାର୍ଡ, ଫରେଷ୍ଟର ଓ ରେଞ୍ଜ ଅଧିକାରୀଙ୍କୁ ବନ୍ୟ ପ୍ରାଣୀଙ୍କ ସୁରକ୍ଷା କଡାକଡି ପାଇଁ ତାଗିତ କରାଯାଇଛି ବୋଲି କହିଥିଲେ ।