ଫୁଲବାଣୀ: ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଭି ଭି ରାମଦାସଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର (ପି ପି)ଭାବେ ସୋମବାର ଦିନ ସରକାର ପୁରସ୍କୃତ କରିଛନ୍ତି । ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଉତ୍ସବରେ ଭୁବନେଶ୍ୱରରେ ପୁରସ୍କାର ପ୍ରଦାନ କରାଯାଇଛି । ସଚିବାଳୟ କନଭେନସନ ସେଣ୍ଟରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରସ୍କାର ଓ ସମ୍ମାନ ପ୍ରଦାନ କରିଥିଲେ । ଏହା ସହିତ ଅନ୍ୟ ଚାରି ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ମୋତେ ଅଧିକ ଉତ୍ସାହ ଓ ପ୍ରେରଣା ଦେଉଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ରାମଦାସ । ଏହା ସହିତ ମୁଖ୍ୟମନ୍ତ୍ରୀ ,ବିଭାଗୀୟ ମୁଖ୍ୟଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ପୁରସ୍କାର ପାଇଥିବାରୁ ଜିଲ୍ଲା ବାର ଆସୋସିଏସନ୍ ସମେତ ଅନେକ ଶୁଭେଚ୍ଛୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।