ଆଇଟିଡିଏ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

ଫୁଲବାଣୀ : ନଭେମ୍ବର ୨୧ ତାରିଖକୁ ବିଶ୍ୱ ମତ୍ସ୍ୟ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ୧୭୫ଟି ମତ୍ସ୍ୟ ପୋଖରୀରେ ସ୍ୱୟଂ ସହାୟକ ଦଳ ଦ୍ୱାରା ମାଛ ଚାଷ ଗତ ତିନି ବର୍ଷ ହେଲା ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ । ଚକାପାଦର ଦେବାଶିଷ ସାହୁ ନିଜ ଉଦ୍ୟମରେ ମାଛ ଚାଷ କରି ବାର୍ଷିକ ପାଞ୍ଚ ଲକ୍ଷ ରୋଜଗାର କରି ପାରୁଥିବାରୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ସେହିପରି ସୁଡ୍ରାର ସଞ୍ଜିତ ନାୟକ ସାତଟି କୁଣ୍ଡରେ ବାୟୋଫ୍ଲକ କରି ପ୍ରଥମ ବର୍ଷରେ ଦୁଇଲକ୍ଷ ରୋଜଗାର କରିଥିବାରୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । କେ ନୂଆଗାଁ ସାର୍ତ୍ତିକ୍ଷଗୁଡାର ଏସଏଚଜି ଗ୍ରୁପକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ବିଶିପଡା ସମେତ ଅନ୍ୟ କେତେକ ସ୍ୱୟଂ ସହାୟକ ଦଳ ମାନେ ପୋଖରୀରୁ ଆଶାନୁରୂପ ଲାଭ ପାଇ ପାରୁନଥିବାରୁ ବିଭାଗୀୟ ପରାମର୍ଶ ଆବଶ୍ୟକ । ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରାଣୀଚିକିତ୍ସା ବିଭାଗ ପ୍ରତିନିଧି, ଜଳ ବିଭାଜିକା ପ୍ରତିନିଧି ଓ ମିଶନଶକ୍ତି ଜିଲ୍ଲା ପ୍ରତିନିଧି ଯୋଗ ଦେଇ ବ୍ୟକ୍ତିଗତ ଜମିରେ ମତ୍ସ୍ୟ ଚାଷୀ ଓ ଏସଏଚଜି ପକ୍ଷରୁ ମାଛଚାଷୀଙ୍କୁ ପରାମର୍ଶ ଦେଇଥିଲେ । ମାଛଚାଷୀର ବିକାଶ ପାଇଁ ସରକାରୀ ଯୋଜନା ସମ୍ପର୍କରେ ପ୍ରୋଜେକ୍ଟରେ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ।

Comments (0)
Add Comment