ପାତାଳି ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଗଡିଲା ଟ୍ରେନ

ସୁବର୍ଣ୍ଣପୁର: ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଆଜି ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍‌ର ନିୟମିତ ଚଳାଚଳ ଆଜିଠାରୁ ଆରମ୍ଭ ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନର ଶୁଭାରମ୍ଭ ୩ ଫେବୃଆରୀ ଦିନ ହୋଇଥିଲା ।
୧୮୪୨୧ ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଗୁରୁବାର ଦିନ ପୁରୀରୁ ସନ୍ଧ୍ୟା ୭.୩୫ ମି.ରେ ଛାଡି ଆଜି ଭୋର ୬ ରେ ସୋନପୁରରେ ପହଞ୍ଚିଥିଲା ।
ଆଜି ସୋନପୁରରୁ ସନ୍ଧ୍ୟା ୭.୩୦ ଛାଡି ଶନିବାର ସକାଳ୬.୫୫ ରେ ପୁରୀରେ ପହଞ୍ଚିବ । ଏହି ଟ୍ରେନ ପୁରୀ ଏବଂ ସୋନପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର, ଅନୁଗୁଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ ବୋଲି ରେଳବାଇ ସୁତ୍ରରୁ ପ୍ରକାଶ । ଏହି ଟ୍ରେନରେ ଗୋଟିଏ ଏସି ୨ ଟାୟାର, ସାତଟି ଏସି-୩ ଟାୟାର, ଗୋଟିଏ ଏସି-୩ ଟାୟାର ଇକୋନୋମି, ଛଅଟି ସ୍ଲିପର ଶ୍ରେଣୀ, ତିନିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ, ଲଗେଜ୍‌ ତଥା ଦିବ୍ୟାଙ୍ଗ ଜନ କୋଚ୍‌ ଏବଂ ଗୋଟିଏ ଗାର୍ଡ, ଲଗେଜ୍‌ ତଥା ମୋଟର କୋଚ୍‌ ଉପଲବ୍ଧ ରହିଥିବା ଜଣାପଡିଛି । ଆଜି ସୋନପୁର ଠାରୁ ଛାଡିଥିବା ଟ୍ରେନରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିବା ଜଣା ପଡିଥିବାବେଳେ ବହୁ ଯାତ୍ରୀ ରିଜର୍ଭେସନ୍‌ ଟିକେଟ ନପାଇ ସାଧାରଣ ବଗିରେଯାଇଥିବା ଓ କିଛି ଯାତ୍ରୀ ନିରାଶ ମନରେ ଫେରିଯାଇଥିବା ଯୋଗୁଁ ଏହି ଟ୍ରେନ୍‌ ସାପ୍ତାହିକ ବଦଳରେ ପ୍ରତିଦିନ ଚଳାଇବା ପାଇଁ କିଛି ଯାତ୍ରୀ ଦାବି କରିଛନ୍ତି ।

Comments (0)
Add Comment