ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଗତକାଲି କେତେକ ସ୍ଥାନରେ କୁଆ ପଥର ବର୍ଷାସହ ଝଡ଼ ପବନ ହେବା ଦେଖିବାକୁ ମିଳିଥିଲା । କିନ୍ତୁ ଏହାର ଅତ୍ୟଧିକ ପ୍ରଭାବ ବିଶେଷ କରି ହରଭଙ୍ଗା ବ୍ଲକର ରାମଗଡ଼ ପଞ୍ଚାୟତରେ ଦେଖିବାକୁ ମିଳିଥିଲା । ଏହି ପ୍ରଭାବରେ ରାମଗଡ଼ ଗ୍ରାମରେ ପ୍ରାୟ ୭୦ ରୁ ୮୦ଗୋଟି ପରିବାର ୧୮୦ରୁ ୨୦୦ଏକର ଚାଷ ଜମିରେ ତରଭୁଜ ଚାଷ କରିଥିବା ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ପ୍ରଗଳପୁର ଓ ପଲଶାପାଟ ଗ୍ରାମ ରେ ହୋଇଥିବା ଏକର ଏକର ଜମିର ଡ଼ାଳୁଅ ଧାନ ଚାଷ ନଷ୍ଟ ହୋଇଥିବା ସହ ରବି ଜାତୀୟ ଫସଲ, ପନିପରିବା, ପିଆଜ, ଆମ୍ବ ଚାଷ ଇତ୍ୟାଦି ନଷ୍ଟ ହୋଇଥିଲା । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଧିକାରୀ,ଓ କୃଷି ବିଭାଗର କର୍ମଚାରୀ କ୍ଷତିଗ୍ରସ୍ତ ଅଂଚଳ ବୁଲି ଅନୁଧ୍ୟାନ କରିଥିବା ବେଳେ ଆଜି ସକାଳ ସମୟରେ ରାମଗଡର ପ୍ରାୟ ୨୦ଜଣ ଚାଷୀ ବୌଦ୍ଧ ଜିଲ୍ଲପାଳ ସତ୍ୟରଞ୍ଜନ ସାହୁଙ୍କୁଙ୍କୁ ଭେଟି କ୍ଷତିଗ୍ରସ୍ତ ଚାଷର ଆକଳନ କରି ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଚାଷୀମାନେ ମଦନ ସାହୁ, ମଦନ ବିଶି, ଶୁଭେନ୍ଦୁ ଯୋଶୀ, ସତ୍ୟବାନ ଥାଟି, ଖିରୋଦ ବିଶି,ପ୍ରକାଶ ଦେହୁରୀ, ଅଶୋକ ଭୋକ୍ତା ପ୍ରମୁଖ ବୋଲି ଜଣାପଡିଛି ।