ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ପୁରସ୍କାର

ଫୁଲବାଣୀ:ସେବା କାର୍ପଣ୍ୟ ଦାନବଳେ,କିବା ଅସାଧ୍ୟ ମହୀତଳେ । ଜଗତର ନାଥ ଜଗନ୍ନାଥଙ୍କ କରୁଣାରୁ ଆମେ ସମସ୍ତେ ଏହି ଧରାପୃଷ୍ଠରେ ମଣିଷ ଭଳି ଏକ ସର୍ବୋତମ ପ୍ରାଣୀ ଭାବେ ଜନ୍ମ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କିନ୍ତୁ; ଏହି ଜୀବନକୁ ସାଫଲ୍ୟମଣ୍ଡିତ କରିବାକୁ ହେଲେ ଜୀବନକୁ ସେବା ରୂପକ ମହତ୍ତ୍ୱ କର୍ମରେ ନିଜକୁ ନିୟୋଜିତ କରିବାକୁ ପଡ଼ିବ । ଏହି ସେବାର ମହାନତାକୁ ଉପଲବ୍ଧ କରି ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନ ବିଗତ ଚାରି ବର୍ଷ ସମୟ ଧରି କାର୍ଯ୍ୟରତ । ଆପଣମାନେ ସମସ୍ତେ ଜାଣନ୍ତି,ଆଜିର ଏକବିଂଶ ଶତାବ୍ଦୀରେ ଯଦିଓ ବିଜ୍ଞାନ ପ୍ରତିଟି କ୍ଷେତ୍ରରେ ତା’ର ପାରଦର୍ଶିତା ହାସଲ କରିଛି,କିନ୍ତୁ; ଅଦ୍ୟାବଧି ରକ୍ତର ସଙ୍କଟକୁ ଦୂର କରିବାରେ ବିଜ୍ଞାନ ଆଦୌ ସଫଳ ହୋଇ ପାରିନାହିଁ । ଏଥି ପାଇଁ କେବଳ ଏକ ମାତ୍ର ମାଧ୍ୟମ, ସ୍ୱେଚ୍ଛାକୃତ ରକ୍ତଦାନ ହିଁ ଶ୍ରେୟ ଅଟେ । ଏହାକୁ ହୃଦବୋଧ କରି ବିଗତ ବର୍ଷ ବର୍ଷ ଧରି ଆମ୍ଭ ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନକୁ ରକ୍ତଦାନ କ୍ଷେତ୍ରରେ ଓଡ଼ିଶା ସମେତ ଅନେକ ରାଜ୍ୟର ରକ୍ତ ଭଣ୍ଡାରରେ ବଳିଷ୍ଠ ଭୂମିକା ସମ୍ପାଦନା କରି ଆସୁଛି । ଯେଉଁଥି ପାଇଁ ଅନେକ ଅନୁଷ୍ଠାନ ଦ୍ୱାରା ପ୍ରଶଂସାର ଆଶୀର୍ବାଦ ମଧ୍ୟ ସାଉଁଟିଛି । ପ୍ରକାଶ ଥାଉକି,ଏହିଭଳି ସେବା କର୍ମକୁ ସମ୍ମାନ ଜଣାଇ ଆଜି ପୁରୀର ସମର୍ପଣ, ଅନୁଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ ରକ୍ତଦାତା ସଭା କାର୍ଯ୍ୟକ୍ରମରେ ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନକୁ ସମ୍ମାନିତ କରାଯିବା ସହ ଭୂୟସୀ ପ୍ରଶଂସା କରାଯାଇଛି ।

Comments (0)
Add Comment