ଜିଲ୍ଲା ଗଠନ ଦାବୀରେ ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ

ବଲାଙ୍ଗୀର : ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଡାକରାରେ ଟିଟିଲାଗଡ ସହର, ସଇଁତଲା ଓ ଆଖପାଖ ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ । ୬ରୁ ସନ୍ଧ୍ୟା ୬ ଯାଏ ୧୨ଘଣ୍ଟିଆ ବନ୍ଦ ଯୋଗୁଁ ଯାତାୟତ ସମେତ ସାଧାରଣ ଗତିବିଧି ଅଟକି ଯାଇଛି । ପରୀକ୍ଷା ଚାଲୁଥିବା ସ୍କୁଲ, କଲେଜ ଓ ଜରୁରୀ ସେବାକୁ ବାଦ ଦେଇ ବ୍ୟାଙ୍କ, ବୀମା, ଡାକଘର ଇତ୍ୟାଦି ଅନ୍ୟାନ୍ୟ ସମସ୍ତ କାର୍ଯ୍ୟାଳୟ ଦିନକ ପାଇଁ ଅଚଳ ହୋଇଯାଇଛି । ଖବର ଅନୁସାରେ, ବରଗଡ ବୋରିଗୁମ୍ମା ଜାତୀୟ ରାଜପଥକୁ ସଇଁତଲା ଠାରେ ଓ ରାୟପୁର ଗୋପାଳପୁର ରାଜପଥକୁ ଟିଟିଲାଗଡ ଠାରେ ଆନ୍ଦୋଳନକାରୀଙ୍କ ତରଫରୁ ଅବରୋଧ କରି ଯାନବାହାନ ଚଳଚଳକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ଟିଟିଲାଗଡ ଜିଲ୍ଲା, ସଇଁତଲାକୁ ଉପଖଣ୍ଡ ମାନ୍ୟତା ଆନ୍ଦୋଳନକୁ ପ୍ରବଳ ଜନ ସମର୍ଥନ ମିଳିଥିବା ବନ୍ଦରୁ ଜଣାଯାଏ । ବିଶେଷ କରି ବହୁ ଯୁବକ ସକାଳୁ କ୍ରିୟାନୁଷ୍ଠାନ କମିଟି ସହ ବିଭିନ୍ନ ଛକମାନଙ୍କରେ ଏକତ୍ରୀତ ହୋଇ ନାରାବାଜୀ କରିଥିଲେ । ସୂଚାଇ ଦିଆଯାଏ ଯେ, ଟିଟିଲାଗଡ ଜିଲ୍ଲା ଦାବୀ ପାଖାପାଖି ୩୦ବର୍ଷ ପୁରୁଣା । ଜିଲ୍ଲା ପୁନର୍ଗଠନ ବେଳରୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ଆନ୍ଦୋଳନ କରାଯାଇଛି । କିନ୍ତୁ ଟିଟିଲାଗଡବାସୀଙ୍କ ସ୍ୱପ୍ନ ପୂରଣ ହୋଇ ନାହିଁ । ଜିଲ୍ଲା ମୁଖ୍ୟାଳୟକୁ ଦୂରତା ଓ ଅନ୍ୟାନ୍ୟ ଦୃଷ୍ଟିରୁ ଯଥାର୍ଥ ଦାବୀକୁ ସରକାର ଗ୍ରହଣ କରିବା ଉଚିତ୍‌ । ଗତ ସାଧାରଣ ନିର୍ବାଚନ ବେଳେ ଓ ଅନେକ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଚାର କରିବା ପ୍ରତିଶୃତି ଦେଇଛନ୍ତି । ପ୍ରତିଶୃତି ରକ୍ଷା କରନ୍ତୁ ଅନ୍ୟଥା ଟିଟିଲାଗଡ ଜିଲ୍ଲା ଓ ସଇଁତଲା ଉପଖଣ୍ଡ ଆନ୍ଦୋଳନ ଆହୁରୀ ଜୋରଦାର ହେବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ବିରେନ୍ଦ୍ର ବାଗ, ପୌରାଧକ୍ଷା ମମତା ଦେବୀ ଜୈନ, ସରପଞ୍ଚ ସଂଘ ସଭାପତି ବୀରବର ସାହୁ ଓ ସମର୍ଥିନ କରିଥିବା ବହୁ ସାମାଜିକ, ସାଂସ୍କୃତିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନର ନେତୃବର୍ଗ ମତ ରଖିଛନ୍ତି । ବିଜେଡି ସଭାପତି ପଦ୍ମପୁରକୁ ଜିଲ୍ଲା ମାନ୍ୟତାକୁ ସମର୍ଥନ କରିବା ପରେ ପୁଣି ଟିଟିଲାଗଡ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ଆନ୍ଦୋଳନ ଆହୁରୀ ବ୍ୟାପକ ହେବା ସମ୍ଭାବନା ଜଳଜଳ ଦିଶୁଛି ।

Comments (0)
Add Comment