ସୋମବାର ସତ୍ୟାଗ୍ରହରେ ସମସ୍ତଙ୍କ ସହଯୋଗ ପାଇଁ ଆହ୍ୱାନ

ସମ୍ବଲପୁର: ଏଠାରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଆହ୍ୱାନ କ୍ରମେ ଗତ ବୁଧବାର ଦିନ ଠାରୁ ଏଠାକାର ସମସ୍ତ ବିଚାର ବିଭାଗୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆସନ୍ତାକାଲି ସୋମବାର ଦିନ ସତ୍ୟାଗ୍ରହରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ କି ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଗତ ବୁଧବାର ଦିନ ଓକିଲମାନେ ଆନ୍ଦୋଳନରେ ଯୋଗ ଦେବାକୁ ଆସିଲା ବେଳକୁ ସେଠାରେ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଏଣୁ ସେମାନେ ନିଜ ରଣନୀତିରେ ପରିବର୍ତ୍ତନ ଆଣିଥିଲେ । ଏଥିପାଇଁ ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ପୁଲିସ ସୁରକ୍ଷାରେ କାର୍ଯ୍ୟାଳୟ ପ୍ରବେଶକୁ ସେମାନେ ବିରୋଧ ନକରି ବାହାରେ କଳାବ୍ୟାଜ୍‌ ପିନ୍ଧି ଧାରଣାରେ ବସିଥିଲେ । ଅନ୍ୟପକ୍ଷେ ଓକିଲ ସହଯୋଗ ଅଭାବରେ ଅଦାଲତରେ କୌଣସି କାର୍ଯ୍ୟ ହୋଇ ନଥିଲା । ଏହି ଅଚଳାବସ୍ଥା ଏପର୍ଯ୍ୟନ୍ତ ଜାରି ରହିଛି ଓ ସୋମବାର ମଧ୍ୟ ଏହା ଜାରି ରହିବ ବୋଲି କୁହାଯାଉଛି । ଏ ବାବଦରେ ଗତକାଲି ଶନିବାର ଦିନ ଓକିଲ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଜାରି ଏକ ପ୍ରେସ ବିବୃତିରେ ଏଠାକାର ସମସ୍ତ ସରକାରୀ କର୍ମଚାରୀଙ୍କୁ ଏଭଳି ଏକ ଆହ୍ୱାନ କରାଯାଇଛି ।

Comments (0)
Add Comment