କୁଷ୍ଠ ନିରାକରଣ ପକ୍ଷରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ୩୦ ଜାନୁୟାରୀରୁ ୧୩ ଫେବୃୟାରୀ ଯାଏଁ ଅନୁଷ୍ଠିତ ହେଉଥିବା ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅବସରରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ । ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ପ୍ଲାକାର୍ଡ ଓ ବ୍ୟାନର ସହ ସ୍ଲୋଗାନ ଦେଇ ଏହି ରାଲିରେ ଭାଗ ନେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପିପିଲିପାଲି ସ୍ଥିତ ବିଶ୍ୱଭାରତୀ ଚିନ୍ତନ ଶିକ୍ଷା ନିକେତନ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କୁଷ୍ଠ ଅଧିକାରୀ ଡାକ୍ତର ପଦ୍ମହଂସା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ କୁଷ୍ଠ ରୋଗର କାରଣ ଓ ନିରାକରଣ ଉପରେ ଆଲୋଚନା କରିବା ସହ କୁଷ୍ଠରୋଗ ବିରୁଦ୍ଧରେ ସାମୂହିକ ଲଢେଇ କରି କୁଷ୍ଠରୋଗକୁ ଇତିହାସ ପୃଷ୍ଠାରେ ହଜାଇ ଦେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଝାନସି ମେହେର, ଦ୍ୱିତୀୟ ସ୍ଥାନରେ ଆୟୁଷ୍ମାନ କୁଅଁର ଏବଂ ତୃତୀୟ ସ୍ଥାନରେ ଶାନ୍ତା ସାଗରୀକା ପ୍ରଧାନ ରହି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ବିଶ୍ୱଭାରତୀ ଚିନ୍ତନ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment