ସମ୍ବଲପୁର: ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସମ୍ବଲପୁର ପୁଲିସ ଆଇଜି ରେଞ୍ଜ ଅଧୀନସ୍ଥ ୬ଟି ଜିଲ୍ଲା ସମ୍ବଲପୁର, ବରଗଡ, ସୋନପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ଅନୁଗୁଳର ସମସ୍ତ ପୁଲିସ ଥାନାରେ ପଦସ୍ଥ ମହିଳା ଓ ଶିଶୁ ଡେସ୍କ ଅଧିକାରୀଙ୍କୁ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜିକାର ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟ ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀମତୀ ରେଖା ଲୋହାନୀ ଏହାର ଉଦଘାଟନ କରିବା ସହିତ ଏହି କାର୍ଯ୍ୟକ୍ରମର ତଦାରଖ ମଧ୍ୟ କରୁଛନ୍ତି । ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ଏଠାରେ ପଦସ୍ଥ ପୁଲିସ ଆଇଜି ଦୀପକ କୁମାର ମଧ୍ୟ ମଞ୍ଚାସୀନ ରହି ସଭାକୁ ସମ୍ବୋଧିତ କରିଥିଲେ । ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଲା ବର୍ତ୍ତମାନ ପରିପ୍ରେକ୍ଷୀରେ ମହିଳା ଓ ଶିଶୁମାନଙ୍କ ସମସ୍ୟା ବିଷୟରେ ଅବଗତ ରହିବା ସହିତ ସମ୍ପୃକ୍ତ ଅଧିକାରୀମାନେ ଯଥୋଚିତ ସମ୍ବେଦନଶୀଳ ହୋଇ କାର୍ଯ୍ୟ ସଂପାଦନ କରିବେ ଓ ସେମାନଙ୍କ ମଧ୍ୟରେ ନିଜ ଦାୟିତ୍ୱବୋଧ ବୃଦ୍ଧି ପାଇବ ।