ବାଲିଗୁଡ଼ା: ପିଆଶାଳ କାଠ ପଟା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବନ ବିଭାଗ ପକ୍ଷରୁ ଚଢ଼ାଉ । ଚୋରାଚାଲାଣ ବେଳେ ମାଦାଗୁଡ଼ା ନିକଟରୁ ପିକ୍ଅପ୍ ଭ୍ୟାନ୍ ସହ ୧୯ଖଣ୍ଡ ପିଆଶାଳ କାଠ ପଟା ଜବତ କରିବା ସହ ଘଟଣାରେ ଦୁଇଜଣ ଚାଲାଣକାରୀ ଗିରଫ କରିଛି ବନବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ପାଖାପାଖି ୫୦ହଜାର ଟଙ୍କା ହେବା ବୋଲି କହିଛନ୍ତି ତୁମୁଡ଼ିବନ୍ଧ ରେଞ୍ଜର । ସୂଚନା ପ୍ରକାରେ ତୁମୁଡ଼ିବନ୍ଧ ବନାଞ୍ଚଳର ମାଦାଗଗୁଡ଼ା ଅଞ୍ଚଳରୁ କାଠ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ମାଦାଗୁଡ଼ା ଛକ ନିକଟରେ ଛପି ରହିଥିଲେ । କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ତୁମୁଡ଼ିବନ୍ଧ ଆଡ଼କୁ ଯିବା ସମୟରେ ଗାଡ଼ିକୁ କାବୁ କରିଥିଲା ଟିମ୍ ଏବଂ ପିଆଶାଳ ପଟା ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଜବତ କରିବାସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ଗିରଫ ଦୁଇଜଣ ତୁମୁଡ଼ିବନ୍ଧ ଅଞ୍ଚଳର ଜଗନ୍ନାଥ ନାୟକ ଓ ରୁନା ନାୟକ ହୋଇଥିବା ସୂଚନା ଦେଇଛନ୍ତି ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ ।