ବୌଦ୍ଧ, ୪/୬: ଓଡ଼ିଶାର କ୍ରୀଡ଼ା ମହାକୁମ୍ଭ “ସିଏମ୍ ଟ୍ରଫି–୨୦୨୬” ଅନ୍ତର୍ଗତ ଜୋନ୍ ସ୍ତରୀୟ ଭଲିବଲ୍ ଚାମ୍ପିଅନସିପ୍ ର ଦ୍ବିତୀୟ ସଂସ୍କରଣ ଚଳିତ ଜୁନ୍ ୫ ଓ ୬ ତାରିଖରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଏବଂ ବୌଦ୍ଧ ଡିଷ୍ଟ୍ରିକ୍ଟ ଆଥଲେଟିକ୍ସ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି।ଏହି ଜୋନ୍ ସ୍ତରୀୟ ପ୍ରତିଯୋଗିତାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ଗଜପତି ଇତ୍ୟାଦି ୮ ଟି ଜିଲ୍ଲାରୁ ପ୍ରାୟ ୨୪୦ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିବେ। ପ୍ରତିଦିନ ସନ୍ଧ୍ୟା ୫.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟାଚ୍ଗୁଡ଼ିକ ଦିବାରାତ୍ର ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ୧୦ ଜଣ ଖେଳ ଶିକ୍ଷକ ଓ କୋଚଙ୍କୁ ଦାୟିତ୍ବ ଦିଆ ଯାଇଛି । ଖେଳାଳିମାନଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ସ୍ବାସ୍ଥ୍ୟ , ଶିକ୍ଷା, ମଙ୍ଗଳ ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ସହଯୋଗ ଓ ସେବା ଯୋଗାଇ ଦିଆଯିବ। ଏହି ଚାମ୍ପିଅନସିପ୍ ମାଧ୍ୟମରେ ରାଜ୍ୟର ଉଦୀୟମାନ ଭଲିବଲ୍ ପ୍ରତିଭାମାନଙ୍କୁ ସେମାନଙ୍କ ସମୁଚିତ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ସୁନ୍ଦର ମଞ୍ଚ ମିଳିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ଏହି ମେଚ ଗୁଡିକରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜକ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି।