ଗ୍ରୀଷ୍ମ ପ୍ରବାହ ଜାରି, ସିମନବାଡ଼ିରେ ଜଳଛତ୍ର ଦେଖାନାହିଁ


ଦାରିଙ୍ଗବାଡ଼ି,୭/୪: ବର୍ତମାନ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଦିନ କୁ ଦିନ ଗରମ ବଢ଼ିବା ସହ ଲୋକ ଗରମରେ କଲବଲ ହେଉଛନ୍ତି । ଏଭଳିକି ପ୍ରତିଦିନ ତାପମାତ୍ରା ବଢ଼ିବାରେ ଲାଗିଛି । କିନ୍ତୁ ସରକାରଙ୍କର ପକ୍ଷରୁ ହେଉଥିବା ଜଳଛତ୍ର ଦାରିଙ୍ଗବାଡ଼ି ବ୍ଲକର ଅନ୍ୟ ପଞ୍ଚାୟତ ମାନଙ୍କରେ ଆରମ୍ଭ ହୋଇଥିବା ବେଳେ ସିମନବାଡ଼ି ପଞ୍ଚାୟତ ଅଂଚଳରେ ଦେଖାନାହିଁ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଶେଷ ବେଳକୁ ଜଳଛତ୍ର ଆରମ୍ଭ ହେଉଥିବା ବେଳେ ବର୍ତମାନ ଅପ୍ରେଲ ମାସ ଆରମ୍ଭ ହୋଇ ସପ୍ତାହେ ବିତିଗଲାଣି କିନ୍ତୁ ଜଳଛତ୍ରର ଦେଖାନାହିଁ । ସିମନବାଡ଼ି ଗ୍ରାମପଞ୍ଚାୟତର ହାଇସ୍କୁଲ ସାମ୍ନା ତଥା ମେଡିକାଲ ସାମ୍ନା,ସିମନବାଡ଼ି ବଜାର,ତେଲିଛକ ତଥା ବ୍ୟାଙ୍କ ସାମ୍ନା,ସଲାବାଡ଼ି ଛକ,ସିମନବାଡ଼ି ବିଶ୍ରାମଗାର ଭଳି ସ୍ଥାନରେ ଜଳଛତ୍ର ହେଉଥିଲା । କିନ୍ତୁ ଏବର୍ଷ ବର୍ତମାନ ପର୍ଯ୍ୟନ୍ତ ଜଳଛତ୍ର ଆରମ୍ଭ ହୋଇନାହିଁ । ବଜାର,ରାସ୍ତା,ମୁଖ୍ୟ ଛକ ଭଳି ଅନେକ ସ୍ଥାନରେ ଲୋକ ଗାଡିକୁ ଅପେକ୍ଷା କିମ୍ବା ଯିବା ଆସିବା କରିଥାନ୍ତି । ଗ୍ରୀଷ୍ମପ୍ରବାହ ଫଳରେ ଲୋକଙ୍କୁ ଶୋଷ ମେଣ୍ଟାଇବାକୁ କୌଣସି ସ୍ଥାନରେ ପାଣିଟିକେ ମିଳୁନାହିଁ । ଫଳରେ ବାଟୋଇ ତଥା ଯାତ୍ରୀ ଶୋଷିଲା ହୋଇ ରହନ୍ତି । ସରକାର ଜଳଛତ୍ର ନିମନ୍ତେ ପ୍ରତି ପଞ୍ଚାୟତକୁ ଅନୁଦାନ ଦେଉଥିବା ବେଳେ ଉକ୍ତ ଅନୁଦାନ ଟଙ୍କାକୁ ପଞ୍ଚାୟତର ବିଭାଗୀୟ ଅଧିକାରୀ ଖର୍ଚ୍ଚ କରି ଜଳଛତ୍ର କରିବାକୁ ଏତେ କୁଣ୍ଠାବୋଧ କଣ ପାଇଁ ବୋଲି ଅଂଚଳବାସୀ ପ୍ରଶ୍ନ କରିଥିବା ବେଳେ ଯଥାଶୀଘ୍ର ସିମନବାଡ଼ି ପଞ୍ଚାୟତ ଅଂଚଳରେ ଜଳଛତ୍ର ଆରମ୍ଭ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

Comments (0)
Add Comment