ଚିଲାଖଣ୍ଡି ପୋଲ ନିକଟରେ ପୁଣି ଦୁର୍ଘଟଣା, 6 ଘଣ୍ଟା ରାସ୍ତା ଜାମ୍

ବୌଦ୍ଧ,୮/୧୦ – ଜାତୀୟ ରାଜପଥ ନମ୍ବର୍ 57 ର ହରେକୃଷ୍ଣପୁର ଗ୍ରାମ ନିକଟରେ ଥିବା ଚିଲାଖଣ୍ଡି ପୋଲ ଉପରେ ପୁଣି ଦୁର୍ଘଟଣା l ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ସମ୍ବଲପୁରକୁ ଲୁହା ପଥର ଗୁଣ୍ଡ ବୋଝେଇ କରି ଆସୁଥିବା ଏ.ପି.27 ଟିଜେଡ3777 ନମ୍ବର ବିଶିଷ୍ଟ ଟ୍ରକ୍ ପୋଲ ବାଡାରେ ଧକ୍କା ଦେଇ ଗତ ରାତି ପ୍ରାୟ 1 ଘଣ୍ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଫଳରେ ସଂକୀର୍ଣ୍ଣ ପୋଲ ଦେଇ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥିଲା l ସକାଳ 7 ଘଣ୍ଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଦୀର୍ଘ 6 ଘଣ୍ଟା ଧରି ଅଟକି ରହିଥିଲା l ସକାଳେ କ୍ରେନ୍ ସାହାଯ୍ୟରେ ଟ୍ରକକୁ ସେଠାରୁ ଅପସାରଣ କରାଯିବା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ କରିପାରିଥିଲା l
ଗତ କିଛି ଦିନ ହେଲା ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକାଳିଆ ସଂକୀର୍ଣ୍ଣ ପୋଲ ନିକଟରେ ନିୟମିତ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଲାଣି l ପାର୍ଶ୍ବରେ ଏକ ନୂତନ ପୋଲର ନିର୍ମାଣ କାର୍ଯ୍ୟ ବହୁ ଦିନରୁ ସରିଥିଲେ ମଧ୍ୟ ପୋଲକୁ ରାସ୍ତା ସଂଯୋଗ ହୋଇ ପାରିନାହିଁ l ପ୍ରଶାସନର ନିଷ୍କ୍ରିୟତା ଓ ଠିକାଦାରଙ୍କ ପ୍ରତି ଅହେତୁକ ବିଭାଗୀୟ ଅନୁକଂପା ଯୋଗୁଁ କାମ ସମ୍ପୂର୍ଣ୍ଣ ହୋଇ ପାରୁନଥିବା ଅଭିଯୋଗ ହୁଏ | ତୁରନ୍ତ ପୋଲକୁ ରାସ୍ତା ସଂଯୋଗ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି l

Comments (0)
Add Comment