ସିଫାରେର୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ଜାତୀୟ ସାମୁଦ୍ରିକ ଦିବସ ପାଳନ

ଭୁବନେଶ୍ୱର: ଗତ ୫ ତାରିଖରେ ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସିଫାରେର୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ଜାତୀୟ ସାମୁଦ୍ରିକ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୩୫୦୦ରୁ ଉର୍ଦ୍ଧ୍ୱ ନାବିକଙ୍କୁ ନେଇ ଗଠିତ ଏହି ଆସୋସିଏସନର ସଦସ୍ୟମାନେ ନିୟମିତ ବୈଠକ ଏବଂ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସ୍ଥାୟୀ ଜାଗା ଦାବି କରିଛନ୍ତି । ସିଫାରେର୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ପାଇଁ ସ୍ଥାୟୀ କାର୍ଯ୍ୟାଳୟ ଓ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ରାଜ୍ୟ ଭିତରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଉପଯୁକ୍ତ ଜମି ଆବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି । ଏହି ଜମିରେ କାର୍ଯ୍ୟାଳୟ କୋଠା, ମିଟିଂ ହଲ୍‌, ପ୍ରଶିକ୍ଷଣ କେନ୍ଦ୍ର ଓ କମ୍ୟୁନିଟି ସେଣ୍ଟର ନିର୍ମାଣ ହେବ । ଏତଦବ୍ୟତୀତ ଏଠାରେ ନିୟମିତ ବୈଠକ, ଆଲୋଚନା ଓ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ ହେବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୋସିଏସନର ସଦସ୍ୟ ମାନଙ୍କୁ ଗମନାଗମନରେ ସୁବିଧା ହେବା ପାଇଁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ଉପକଣ୍ଠ ଯେକୌଣସି ଅଞ୍ଚଳରେ ଏକ ସ୍ଥାୟୀ ଅବସ୍ଥାନ ଆବଶ୍ୟକ । ଆସୋସିଏସନର ସଦସ୍ୟମାନଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧ ଏକର ଜମି ଆବଶ୍ୟକ ଅଛି । ସ୍ଥାୟୀ ଜମି କେବଳ ସିଫାରେର୍ସ ଆସୋସିଏସନ୍ ପାଇଁ ଫଳପ୍ରଦ ହେବ ନାହିଁ, ବରଂ ଓଡ଼ିଶାର ସାମୁଦ୍ରିକ ସେକ୍ଟରର ମଧ୍ୟ ସାମଗ୍ରିକ ଅଭିବୃଦ୍ଧିରେ ସହାୟକ ହେବ । ଏଠାରେ ସିଫାରେର୍ସ ଆସୋସିଏସନ୍ ସଦସ୍ୟ ମାନଙ୍କ ଦକ୍ଷତା ଓ ଜ୍ଞାନ ବଢ଼ାଇବା ପାଇଁ ଉତ୍ତମ ପ୍ରଶିକ୍ଷଣ ଦେଇହେବ । ଏହି ଜମି ପ୍ରଦାନ ଦ୍ୱାରା ସାମୁଦ୍ରିକ କ୍ଷେତ୍ରର ଅଭିବୃଦ୍ଧି ଓ ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ପ୍ରଦର୍ଶିତ କରିବ ଏବଂ ରାଜ୍ୟର ଅର୍ଥନୀତିରେ ଉଲ୍ଲେଖନୀୟ ଯୋଗଦାନ ଦେଉଥିବା ନାବିକଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେବ ବୋଲି ଜାତୀୟ ସାମୁଦ୍ରିକ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ କହିଛନ୍ତି । ସିଫାରେର୍ସ ଆସୋସିଏସନ୍ ଅଫ୍ ଓଡ଼ିଶାର ସଦସ୍ୟ ତଥା ବୀରମହାରାଜପୁରର ବିଧାୟକ ରଘୁନାଥ ଜଗଦଲା ମଧ୍ୟ ଜମି ଯୋଗାଇଦେବା ସହ ନାବିକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Comments (0)
Add Comment