ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଗ୍ରାମରେ ଗତ ୧ମାସରୁ ଅଧିକ ଦିନ ହେବ ବସୁଧା ଯୋଜନାରେ ଘରକୁ ଘର ଦିଆ ଯାଉଥିବା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ସଲାବାଡ଼ି ଠାରେ ବସୁଧା ଯୋଜନାରେ ୧୦ହଜାର ଲିଟର ବିଶିଷ୍ଟ ଓଭରହେଡ ଟାଙ୍କି ରହିଥିଲେ ସୁଦ୍ଧା ଟାଙ୍କି ଠାରୁ ୧୦ରୁ୧୫ ହାତ ଦୂରରେ ଥିବା ଲୋକେ ପାଣି ଟୋପାଏ ପାଉନଥିବା ବେଳେ ଯୁଡ଼ାବାଡ଼ି,ବଜାର ସାହି, ସାରୁମାହା, ରାଜୀବନଗର, ପୁରୁଣା ପୋଷ୍ଠ, ଯୋହନପଲ୍ଲୀ ଅଞ୍ଚଳକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି । ଯାହା ଫଳରେ ସଲାବାଡ଼ି ସାହିର ବହୁ ମହିଳା ଏକତ୍ରିତ ହୋଇ ଜଳ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଗୁହାରି ଜଣାଇଛନ୍ତି । ଏଥି ସହିତ ସଲାବାଡ଼ିବାସୀ ଅଭିଯୋଗ କରିଛନ୍ତି କି ପମ୍ପ ଚାଳକ ଜଣକ ସଠିକ ଭାବରେ ମୋଟର ଚାଳନା କରୁନଥିବା ଯୋଗୁଁ ବର୍ଷକୁ ୫ରୁ ୮ ଥର ମୋଟର ପୋଡ଼ି ଯାଉଛି । ଲୋକେ ସେଥିଯୋଗୁଁ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି । ଗତମାସରେ ପୋଡ଼ି ଯାଇଥିବା ମୋଟରକୁ ବଦଳାଇ ନୂତନ ମୋଟର ଲଗାଯାଇଥିଲା କିନ୍ତୁ ନୂତନ ମୋଟର ଲାଗିବା ଦିନଠାରୁ ଲୋକେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ତେଣୁ ଯଥାଶୀଘ୍ର ଅଞ୍ଚଳବାସୀଙ୍କୁ ପାଣି ଯୋଗାଇବା ବ୍ୟବସ୍ଥା ସହିତ ନୂତନ ପମ୍ପ ଅପରେଟରକୁ ପମ୍ପ ଚାଳନା ପାଇଁ ଦାୟିତ୍ୱ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଲୋକମାନଙ୍କ ଦାବି ପୂରଣ ନହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଗ୍ରାମର ବନ୍ଦିତା ଦିଗାଲ, ରୁନିମା ବେହେରା ଇନ୍ଦ୍ର ଦିଗାଲ, ଏଲିଆସ ଦିଗାଲ, ସଂଗୀତା ପ୍ରଧାନ, ସୁମିତ୍ରା ପ୍ରଧାନ, ପ୍ରମିଳା ପ୍ରଧାନ, ଲିଲିମା ଦିଗାଲ, ଗୁଳୁ ପ୍ରଧାନ, ମାଳତୀ ପ୍ରଧାନ, ପବିତ୍ରା ପ୍ରଧାନ, ଇଲିମା ପ୍ରଧାନ ସମେତ ଗ୍ରାମବାସୀ ମାନେ ଚେତାବନୀ ଦେଇଥିବା ବେଳେ ଏନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ଦାସଙ୍କ ସହିତ ଯୋଗାଯୋଗ କରିବାରୁ ସେ ଏ ବାବଦରେ ଅବଗତ ଅଛନ୍ତି କହିବା ସହ ନୂତନ ପାଣି ମୋଟର ଲଗାଯାଇଛି ଭୋଲ୍ଟେଜ-ଲୋ ରହୁଥିବା କାରଣରୁ ଏଭଳି ସମସ୍ୟା ଦେଖାଦେଉଛି ପଞ୍ଚାୟତ ତରଫରୁ ଭୋଲ୍ଟେଜ ବୃଦ୍ଧି ପାଇଁ ଷ୍ଟାବିଲାଇଜର ଲଗାଇବା ବ୍ୟବସ୍ଥା କରାଯାଉଛି ତାହା ଲାଗିଲେ କୌଣସି ସମସ୍ୟା ରହିବ ନାହିଁ ବୋଲି ପ୍ରକାଶ କରିଛନ୍ତି ।