ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା ଓ ଅନୁଧ୍ୟାନ କଲେ ଏନଏମଏ ଟିମ୍‌

ପୁରୀ : ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା ଓ ଅନୁଧ୍ୟାନ କରିଛନ୍ତି ଏନଏମଏ ଟିମ୍‌ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ବିବାଦୀୟ ମଙ୍ଗୁମଠ ପାର୍ଶ୍ୱ ନିର୍ମାଣ ଓ ୫୫ ମିଟରରେ ଥିବା ପ୍ରାଚୀର ନିର୍ମାଣ ସ୍ଥଳରେ ଯାଞ୍ଚ କରିଛନ୍ତି ଟିମ୍‌ । ଏଥିସହିତ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ଓ ଏମାରମଠ ପାର୍ଶ୍ୱ ଅଭ୍ୟର୍ଥନା କକ୍ଷ ନିର୍ମାଣସ୍ଥଳ ବୁଲି ଦେଖିଛି ଟିମ୍‌ । ଏନଏମ୍‌ଏ ମ୍ୟାଣ୍ଡେଟ୍‌ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଚାରକୁ ନେବାସହ ସମୀକ୍ଷା ରିପୋର୍ଟକୁ ଆଧାର କରି ଦିଲ୍ଲୀରେ ଅଥରିଟି ନିଷ୍ପତ୍ତି ନେବବୋଲି ପ୍ରତିକ୍ରିୟା ରଖିଛନ୍ତି ଟିମ୍‌ର ନେତୃତ୍ୱ ନେଉଥିବା ଏନଏମ୍‌ଏ ଅଧକ୍ଷ କିଶୋର କେ ବାସା । ସେପଟେ ଶ୍ରୀମନ୍ଦିର ୧୦୦ ମିଟର ଭିତରେ ଓ ବାହାରେ ଥିବା ୩୪ ଟି ମଠର ପୁନରୁଦ୍ଧାର ଓ ପୁନଃ ନିର୍ମାଣ ପାଇଁ ମଠ ମହନ୍ତଙ୍କ ସହ ହୋଇଛି ବିସ୍ତୃତ ଆଲୋଚନା ।
ପୁରୀରେ ପହଞ୍ଚି କିଶୋର କେ ବାସାଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି ଏନଏମଏ ଟିମ । ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏନଏମଏ ଦେଇଥିବା ନିର୍ଦ୍ଦେଶର ଅନୁପାଳନ ହୋଇଛି କି ସେନେଇ ସମୀକ୍ଷା କରିଛି ଟିମ । ରାଜ୍ୟ ସରକାରଙ୍କ ନିମନ୍ତ୍ରଣ କ୍ରମେ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଆସିଥିବା ଶ୍ରୀଯୁକ୍ତ ବାସା ଓ ଏନଏମଏର ଟିମ ଏହି ଗସ୍ତରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି ।ସେପଟେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ବିଶେଷ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପାଇଁ ଏନ ଏମ ଏ ସାଢେ ସାତ ମିଟର ଉଚ୍ଚତା ପର୍ଯ୍ୟନ୍ତ ନିର୍ମାଣ ପାଇଁ ସାନି ଡ଼ିପିଆର ଦାଖଲ ପାଇଁ ଦେଇଥିବା ବେଳେ ୧୩ ମିଟରକୁ ବୃଦ୍ଧି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ରିଭ୍ୟୁ ପାଇଁ ଆବେଦନ କରିଥିଲେ । ଅନ୍ୟପଟରେ ଶ୍ରୀମନ୍ଦିର ଦକ୍ଷିଣପୂର୍ବ କୋଣରେ ଏମାରମଠ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ପାଇଁ ୧୦୦.୫ ମିଟର ବାହାରେ ନିର୍ମାଣ ପାଇଁ ସାନି ଡିପିଆର ଆବେଦନ ପାଇଁ ଅନୁମତି ଦେଇଥିଲେ ଏନଏମଏ । ଉଭୟ ନିର୍ମାଣ ପାଇଁ ପୃଥକ ପୃଥକ ସାନି ଡିପିଆର ଆବେଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏନଏମଏ । ତେଣୁ ଏ ଦୁଇଟି ନିର୍ମାଣକୁ ମଧ୍ୟ ବୁଲି ଦେଖିଛି ଟିମ । ଅନ୍ୟପଟରେ ବିବାଦରେ ଥିବା ମଙ୍ଗୁ ମଠ ପାଶ୍ୱର୍ରେ ଚାଲିଥିବା ନିର୍ମାଣ ଏବଂ ୫୫ମିଟର ପରେ ନିର୍ମିତ ହେଉଥିବା ପ୍ରାଚୀର ସ୍ଥାନରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛି ଏନଏମଏ ଟିମ ।
ଏଥିସହିତ ଶ୍ରୀମନ୍ଦିର ବହରେପ ଥିବା ୨୦ଟି ମଠର ହେବ ନୂତନ ନିର୍ମାଣ । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ମଠର ନିର୍ମାଣ କାର୍ଯ୍ୟ ହେବ । ଶ୍ରୀଜଗନ୍ନାଥଙ୍କ ସହ ଯେପରି ପୂର୍ବରୁ ଶ୍ରୀମନ୍ଦିର ଜଡିତ ହୋଇ ରହିଥିଲା,ସେଇଭଳି ବଳବତ୍ତର ରହିବ ।ମଠଗୁଡିକ ଯେଉଁ ସମ୍ପ୍ରଦାୟ ସହ ଜଡିତ,ତାର ଚିହ୍ନ ରହିବା ସହ ନିର୍ମାଣ କାର୍ଯ୍ୟ କରାଯିବ । ଏନେଇ ବୈଠକରେ ଆଲୋଚନା ହେବା ସହ ମଠ ମହନ୍ତ ମାନଙ୍କ ମତ ଶୁଣିଛନ୍ତି ଏନ ଏମ ଏ ଅଧ୍ୟକ୍ଷ । ପରେ ନିର୍ମାଣ ଆରମ୍ଭ ପରେ ଅନ୍ୟ ଏକ ମିଟିଂ କରାଯାଇ ଏହାର ଅଗ୍ରଗତି ବିଷୟରେ ଆଲୋଚନା ହେବ ।
ଏନ୍‌ ଏମ୍‌ ଏର ସମୀକ୍ଷା ରିପୋର୍ଟ ଉପରେ ଆରମ୍ଭରୁ ବିବାଦୀୟ ହୋଇପଡିଥିବା ପରିକ୍ରମା ପ୍ରକଳ୍ପର ସ୍ଥିତି ଓ ଭବିଷ୍ୟତ ନିର୍ଭର କରୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏନ୍‌ଏମ୍‌ଏ ଓ ଏଏସଆଇର ଗାଇଡଲାଇନ୍‌ ଆଧାରରେ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହୋଇଛି ।

Comments (0)
Add Comment