୨୫ବର୍ଷ ପୂର୍ତ୍ତି ନେଇ ପ୍ରସ୍ତୁତି ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ୍ ଅନ୍ତର୍ଗତ ଦଳପଡ଼ା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୨୫ ବର୍ଷ ପୂର୍ତ୍ତି ହୋଇଛି। ଏହାର ରଜତ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଉତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଉତ୍ସବରେ ଅତିଥି ଭାବେ ଯୋଗ ଦେବା ପାଇଁ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ, ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏଥିସହିତ କିଛି ଶିକ୍ଷାବିତଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯିବ। ଏହି ବିଦ୍ୟାଳୟରୁ ଶିକ୍ଷାଲାଭକରି ନିଜକୁ ଆତ୍ମନିର୍ଭରଶୀଳ କରିଥିବା ଛାତ୍ର ଛାତ୍ରୀ ମାନେ ନିଜର ଅଭିଜ୍ଞତା ବାଣ୍ଟିବେ ଓ ନିଜର ଭବିଷ୍ୟତ ଗଠନ ପାଇଁ ନିଜକୁ କିପରି ପ୍ରସ୍ତୁତ କରିବେ ତାହାରି ଉପରେ ପରାମର୍ଶ ଦେବେ।ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବ। ଉତ୍ସବ ପାଳନ ପାଇଁ ଏକ ଅଭ୍ୟର୍ଥନା କମିଟି ସହ ସବ କମିଟି ମାନ ଗଠନ କରାଯିବ। ଏଥି ପାଇଁ ଆବଶ୍ୟକ ପାଣ୍ଠି ସଂଗ୍ରହ କରିବାକୁ ମଧ୍ୟ ଏକ କମିଟି ଗଠନ କରାଯିବ। ଏହି ବୈଠକରେ ପୂର୍ବତନ ସରପଞ୍ଚ ରଞ୍ଜନ କୁମାର କହଁର,ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବାରିକ, ରାଜ ନାରାୟଣ ଦାସ,ସସ୍ମିତା କାନୁନଗୋ, ଉଦୟନାଥ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଶଙ୍କର୍ଷଣ ଜ।ନି, ଅନନ୍ତ ଜାନି , କିଶୋର ପ୍ରଧାନ ଓ ନିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Comments (0)
Add Comment